କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ କାର୍ରେ ବସାଇ କେନ୍ଦ୍ରାପଡ଼ା ଆଡ଼କୁ ନେଇଯିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କଟିକଟା ବଜାର ନିକଟରେ ଯୁବତୀଙ୍କ ଚିତ୍କାର ଶୁଣି ଦୁଇଜଣ ସ୍ଥାନୀୟ ଦୋକାନୀ ହସ୍ତକ୍ଷେପ କରି ତାଙ୍କୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଜିମା ଦେଇଥିଲେ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲାରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ତଥ୍ୟ ସାମ୍ନାକୁ ଆସୁଛି । ମଙ୍ଗଳବାର ବିଳମ୍ୱିତ ରାତିରେ ନରପିଶାଚମାନେ କେବଳ ପାଶବିକ କାଣ୍ଡ ଭିଆଇ ନ ଥିଲେ, ବରଂ ପ୍ରମାଣ ନଷ୍ଟ ଓ ଯୁବତୀଙ୍କୁ ନିଖୋଜ କରିବା ଉଦ୍ଦେଶ୍ୟରେ ଅପହରଣ ଉଦ୍ୟମ ମଧ୍ୟ କରିଥିଲେ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାର୍ର କାଚ ଭାଙ୍ଗି ଯୁବତୀଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ କରିବା ପରେ ସେହି କାର୍ରେ ହିଁ ତାଙ୍କୁ ବସାଇ ଜୋରଜବରଦସ୍ତ କେନ୍ଦ୍ରାପଡ଼ା ଆଡ଼କୁ ନେଇଯାଉଥିଲେ ଅଭିଯୁକ୍ତ ।
ଗାଡ଼ି ଭିତରେ ଷ୍ଟିୟରିଂକୁ କବ୍ଜା କରିବା ପାଇଁ ଅଭିଯୁକ୍ତ ଓ ଯୁବତୀଙ୍କ ପୁରୁଷବନ୍ଧୁଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । କଟିକଟା ବଜାର ନିକଟରେ ଗାଡ଼ିଟି ଅଟକିବା ପରେ ଭୟଭୀତ ଯୁବତୀଙ୍କ ଚିତ୍କାର ଶୁଣି ପାଖରେ ଥିବା ସ୍ଥାନୀୟ ଦୋକାନୀମାନେ ଦୌଡ଼ି ଆସିଥିଲେ । ଗାଡ଼ିରୁ ଓହ୍ଲାଇ ଅଭିଯୁକ୍ତ ଓ ପୁରୁଷବନ୍ଧୁଙ୍କ ମଧ୍ୟରେ ହାତାହାତି ଚାଲିଥିବା ବେଳେ ଦୁଇ ଜଣ ସାହସୀ ଦୋକାନୀ ଦେବଦୂତ ସାଜି ଅଭିଯୁକ୍ତକୁ କାବୁ କରିବା ସହ ପୀଡ଼ିତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଏବଂ ଅଭିଯୁକ୍ତକୁ ପୁଲିସ ଜିମା ଦେଇଥିଲେ । ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରଖିଛି ।
ଏହି ସମ୍ବେଦନଶୀଳ ଘଟଣା ଏବେ ଜାତୀୟ ମାନବାଧିକାର କମିସନ (NHRC)ରେ ପହଞ୍ଚିଛି । ରାଜ୍ୟରେ ନାରୀ ସୁରକ୍ଷା ଓ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ମାନବାଧିକାର କର୍ମୀ ଜୟନ୍ତ ଦାସ କମିସନଙ୍କ ନିକଟରେ ଆବେଦନ କରିଛନ୍ତି । ଏହି ମାମଲାରେ ଡିଜିପି ଓ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କଠାରୁ ଜବାବ ତଲବ କରିବା, ତୁରନ୍ତ ତଦନ୍ତ ସାରି ଫାଷ୍ଟ୍ ଟ୍ରାକ୍ କୋର୍ଟରେ ବିଚାର ପ୍ରକ୍ରିୟା ଆରମ୍ଭ କରିବା, ପୀଡ଼ିତାଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡବିଧାନ ଦେବାକୁ ସେ ଦାବି ଜଣାଇଛନ୍ତି ।
ଅନ୍ୟପକ୍ଷରେ, ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଜେଡିର ଏକ ୧୦ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନିଶ୍ଚିନ୍ତକୋଇଲି ଥାନାରେ ପହଞ୍ଚି ସମଗ୍ର ମାମଲାର ତଦନ୍ତ ସ୍ଥିତି ଅନୁଧ୍ୟାନ କରିଛି । ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ବିରୋଧୀ ଦଳ ପକ୍ଷରୁ ସରକାର ଓ ପ୍ରଶାସନ ଉପରେ ଚାପ ସୃଷ୍ଟି କରାଯାଉଛି ।

