ଆସନ୍ତା ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ AAP ଶନିବାର ୪୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା । ଏହାର ଦିନକ ପରେ ଦୁଇ ବିଧାୟକଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ସମାନା ଓ ସନୌର ଆସନ ପାଇଁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଦୁଇ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ପଟିଆଲା ଜିଲ୍ଲାର ସମାନା ବିଧାନସଭା ଆସନର ବିଧାୟକ ଚେତନ ସିଂହ ଜୋଡାମାଜରା ଏବଂ ସନୌର ଆସନର ବିଧାୟକ ହରମୀତ ସିଂହ ପଠାନମାଜରା ରବିବାର ଦଳର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି । ଆସନ୍ତା ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ AAP ଶନିବାର ୪୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା । ଏହାର ଦିନକ ପରେ ଦୁଇ ବିଧାୟକଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ସମାନା ଓ ସନୌର ଆସନ ପାଇଁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ସନୌର ବିଧାୟକ ହରମୀତ ସିଂହ ପଠାନମାଜରା ନିଜ ଇସ୍ତଫାପତ୍ର AAPର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି । ଅନ୍ୟପଟେ ସମାନା ବିଧାୟକ ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଚେତନ ସିଂହ ଜୋଡାମାଜରା ସୋସିଆଲ ମିଡିଆରେ ପୋଷ୍ଟ କରି ଦଳ ଛାଡ଼ିବା ନେଇ ସୂଚନା ଦେଇଛନ୍ତି ।
ଗତ ସେପ୍ଟେମ୍ବରରେ AAP ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁରଜିତ ସିଂହ ରଖଡ଼ାଙ୍କୁ ସମାନା ବିଧାନସଭା କ୍ଷେତ୍ରର ହଲକା ଇନଚାର୍ଜ ଭାବେ ନିଯୁକ୍ତ କରିଥିଲା । ଏହା ପରଠାରୁ ୨୦୨୭ ନିର୍ବାଚନରେ ସେ ସମାନା ଆସନରୁ ଦଳର ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।
ହରମୀତ ସିଂହ ପଠାନମାଜରା ପୂର୍ବରୁ ନିଜ ଦଳର ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ କରିଥିଲେ । ଗତବର୍ଷ ସେପ୍ଟେମ୍ବରରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ରୁଜୁ ହୋଇଥିଲା । ଜିରକପୁରର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ଦାଏର ହୋଇଥିଲା । ମହିଳାଙ୍କ ଅଭିଯୋଗ ଅନୁସାରେ, ପଠାନମାଜରା ନିଜକୁ ଛାଡ଼ପତ୍ର ପାଇଥିବା ବ୍ୟକ୍ତି ବୋଲି ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ୨୦୨୧ରେ ତାଙ୍କୁ ବିବାହ କରିଥିବା ମହିଳା ଅଭିଯୋଗ କରିଥିଲେ।
ଦୁଷ୍କର୍ମ ମାମଲାରେ ପୋଲିସ ହେପାଜତରୁ ଫେରାର ହେବାର ଛଅ ମାସରୁ ଅଧିକ ସମୟ ପରେ ପଠାନମାଜରାଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜାବ ପୋଲିସ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଗିରଫ କରିଥିଲା । ପରେ ମେ’ ମାସରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ୨୦୨୫ ସେପ୍ଟେମ୍ବରରେ ରୁଜୁ ହୋଇଥିବା ଏହି ମାମଲାରେ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ । ଦୁଇ ବିଧାୟକଙ୍କ ଇସ୍ତଫା ପରେ ସମାନା ଓ ସନୌର ଆସନରେ ପ୍ରାର୍ଥୀ ଚୟନକୁ ନେଇ AAPର ପରବର୍ତ୍ତୀ ନିଷ୍ପତ୍ତି ଉପରେ ନଜର ରହିଛି ।

