ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀରେ ବଡ଼ ଧରଣର ପ୍ରଦର୍ଶନ କରିବାକୁ ଘୋଷଣା କରିଛି ଦଳ। ଏହା ସହ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାକୁ ବାତିଲ କରିବା ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରିଛି ଆପ୍ ।
ଦିଲ୍ଲୀରେ ପୁଣି ତେଜିବ ରାଜନୈତିକ ଲଢ଼େଇ। ନିର୍ବାଚନରେ ‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ଆମ୍ ଆଦମୀ ପାର୍ଟି ଏବେ ଆରପାର ଲଢ଼େଇ ପାଇଁ ପ୍ରସ୍ତୁତ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀରେ ବଡ଼ ଧରଣର ପ୍ରଦର୍ଶନ କରିବାକୁ ଘୋଷଣା କରିଛି ଦଳ। ଏହା ସହ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାକୁ ବାତିଲ କରିବା ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରିଛି ଆପ୍ । ଦଳର ଏହି ଘୋଷଣା ପରେ ଦିଲ୍ଲୀର ରାଜନୈତିକ ମାହୋଲ୍ ଆହୁରି ଉଷ୍ମ ହେବାର ସମ୍ଭାବନା ରହିଛି।
ମଙ୍ଗଳବାର ଦିନ ଆପ୍ ନେତା ସୌରଭ ଭରଦ୍ୱାଜ ଏହି ପ୍ରଦର୍ଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ଆନ୍ଦୋଳନରେ ଦଳର ବିଧାୟକ, କାଉନସିଲରଙ୍କ ସହ ରାଜ୍ୟ, ଜିଲ୍ଲା, ବିଧାନସଭା ଓ ୱାର୍ଡ ସ୍ତରର ପଦାଧିକାରୀମାନେ ସାମିଲ ହେବେ। ଆନ୍ଦୋଳନକୁ ଆଗକୁ କିପରି ନିଆଯିବ, ସେନେଇ ଦଳୀୟ ନେତାଙ୍କ ମଧ୍ୟରେ ବୈଠକ ହେବା ପରେ ପ୍ରଦର୍ଶନର ତାରିଖ ଘୋଷଣା କରାଯାଇଛି।
ସୌରଭ ଭରଦ୍ୱାଜ କହିଛନ୍ତି ଯେ ଦଳର ସବୁଠାରୁ ବଡ଼ ଦାବି ହେଉଛି ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଦଳ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜାରି ରଖିବ ବୋଲି ସେ କହିଛନ୍ତି। ପ୍ରଦର୍ଶନ ପାଇଁ ଜନ୍ତରମନ୍ତରକୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ ମଧ୍ୟ ଆପ୍ ପ୍ରଶ୍ନ ଉଠାଇଛି। ଯଦି ଜନ୍ତରମନ୍ତରରେ ପ୍ରଦର୍ଶନ ପାଇଁ ଅନୁମତି ନମିଳେ, ତେବେ ଦଳ ରାମଲୀଳା ମୈଦାନରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ବୋଲି ସୌରଭ ଭରଦ୍ୱାଜ ସ୍ପଷ୍ଟ କରିଛନ୍ତି।
ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ସହ SIR ପ୍ରକ୍ରିୟାକୁ ବାତିଲ କରିବା ଦଳର ଅନ୍ୟତମ ପ୍ରମୁଖ ଦାବି। ନିର୍ବାଚନ ନିରପେକ୍ଷ ଭାବେ ହେବା ଉଚିତ ଏବଂ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି।
ଏଥିସହ ସରକାର ପୋଲିସ ବଳର ବ୍ୟବହାର କରିବା ସହ ସାର୍ବଜନୀନ ପରିବହନ ଓ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରୁଥିବା ଗୋପାଳ ରାୟ ଅଭିଯୋଗ କରିଛନ୍ତି। ଏଭଳି ପ୍ରୟାସ ଜାରି ରହିଲେ ଦିଲ୍ଲୀରେ ଚାଲିଥିବା ପ୍ରତିବାଦ ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର ଅକ୍ଟୋବର ୧୫ର ପ୍ରଦର୍ଶନ ଉପରେ। AAPର ଏହି ଆନ୍ଦୋଳନ ଦିଲ୍ଲୀରେ କେତେ ବଡ଼ ରାଜନୈତିକ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

