ଛାତ୍ରଙ୍କୁ ପିଟିବାକୁ ନିର୍ଦ୍ଦେଶ କିଏ ଦେଇଥିଲେ? ଗୃହମନ୍ତ୍ରୀ ଶାହଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି

ରାହୁଲ ଗାନ୍ଧୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ନିଜର ଅଧିକାର ଏବଂ ଏକ ସ୍ୱଚ୍ଛ ଶିକ୍ଷା ବ୍ୟବସ୍ଥା ପାଇଁ ଦାବି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଏଭଳି ବର୍ବର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ।

ଦିଲ୍ଲୀର ଜନ୍ତର ମନ୍ତରଠାରେ ଗତ ଜୁଲାଇ ୨୦ ତାରିଖରେ ‘ସଂସଦ ଚଲୋ’ ଅଭିଯାନ ସମୟରେ ଛାତ୍ରମାନଙ୍କ ଉପରେ ହୋଇଥିବା ପୁଲିସର ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ ଘଟଣା ଏବେ ଦେଶର ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଛି । ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ କଡ଼ା ଚିଠି ଲେଖି ସରକାରଙ୍କୁ ଘେରିଛନ୍ତି ।

ରାହୁଲ ଗାନ୍ଧୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ନିଜର ଅଧିକାର ଏବଂ ଏକ ସ୍ୱଚ୍ଛ ଶିକ୍ଷା ବ୍ୟବସ୍ଥା ପାଇଁ ଦାବି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଏଭଳି ବର୍ବର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ସେ କହିଛନ୍ତି, “ଆମର ଛାତ୍ରମାନେ ଏକ ଉତ୍ତରଦାୟୀ ଶିକ୍ଷା ପ୍ରଣାଳୀ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ । କିନ୍ତୁ ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ, ସୁରକ୍ଷା ବଳ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଲୁହବୁହା ଗ୍ୟାସ ସହାୟତାରେ ସେମାନଙ୍କୁ ଦମନ କରିବାକୁ ଚେଷ୍ଟା କଲେ ।”

ଏହି ଲାଠିଚାର୍ଜରେ ଶତାଧିକ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ମହିଳା ଛାତ୍ରୀମାନଙ୍କୁ ମଧ୍ୟ ପୋଲିସ ଛାଡ଼ି ନଥିବା ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପୋଲିସ କର୍ମଚାରୀମାନେ ମହିଳା ଛାତ୍ରୀମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କର ବ୍ୟକ୍ତିଗତ ଅଙ୍ଗକୁ ଜାଣିଶୁଣି ଟାର୍ଗେଟ୍ କରିଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜାଜନକ । ସବୁଠାରୁ ଗୁରୁତର ବିଷୟ ହେଉଛି ଏହି ଆନ୍ଦୋଳନ ସମୟରେ ‘ପେଲେଟ୍ ଗନ୍’ର ବ୍ୟବହାର। ରାହୁଲ ଗାନ୍ଧୀ ୧୯ ବର୍ଷୀୟ ଛାତ୍ର ସାହିଲ ଲୋଚବଙ୍କ କଥା ଉଲ୍ଲେଖ କରି କହିଛନ୍ତି ଯେ, ପେଲେଟ୍ ଗନ୍‌ର ଗୁଳି ବାଜିବା କାରଣରୁ ସେହି ଛାତ୍ର ଜଣକ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ଯିବାର ସମ୍ଭାବନା ରହିଛି। ଜଣେ ସାମ୍ବାଦିକଙ୍କ ସମେତ ଅନେକ ଲୋକ ଏହି ଘାତକ ଅସ୍ତ୍ର ଯୋଗୁଁ ଆହତ ହୋଇଛନ୍ତି ।

ରାହୁଲ ଗାନ୍ଧୀ ସିଧାସଳଖ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, “ଦିଲ୍ଲୀର ସୁରକ୍ଷା ବଳ ଆପଣଙ୍କ ଅଧୀନରେ ଆସୁଛନ୍ତି, ତେଣୁ କ’ଣ ଜଣେ ଗୃହମନ୍ତ୍ରୀ ଭାବେ ଆପଣ ଛାତ୍ରଙ୍କ ବିରୋଧରେ ପେଲେଟ୍ ଗନ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲେ? ଯଦି ନୁହେଁ, ତେବେ ଏହି ଆଦେଶ କିଏ ଦେଇଥିଲା?” ଏଥିସହ ସାଧା ପୋଷାକରେ ଛାତ୍ରଙ୍କୁ ପିଟୁଥିବା ବ୍ୟକ୍ତିମାନେ ପୋଲିସ କିମ୍ବା ସ୍ୱେଚ୍ଛାସେବୀ, ସେ ନେଇ ମଧ୍ୟ ସେ ସ୍ପଷ୍ଟୀକରଣ ମାଗିଛନ୍ତି । ଏହି ଘଟଣା ପରେ ଦେଶର ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଙ୍କ ସୁରକ୍ଷାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ରାହୁଲ ଗାନ୍ଧୀଙ୍କ ଏହି ଚିଠି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହାକୁ ନେଇ ସଂସଦରେ ମଧ୍ୟ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି । ଯୁବପିଢ଼ିଙ୍କ ସ୍ୱରକୁ ଦମନ କରିବା ପାଇଁ ବଳପ୍ରୟୋଗ କରାଯିବା ଗଣତନ୍ତ୍ର ପାଇଁ ଏକ ବଡ଼ ଆହ୍ୱାନ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *