ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଏସ୍. ଟିକରପଡ଼ା ଗାଁରେ ପୂର୍ବଶତ୍ରୁତାକୁ ନେଇ କାଳିଆ ଗୌଡ଼ଙ୍କୁ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଚୋଟରେ ତାଙ୍କ ହାତ ଛିଣ୍ଡିଯାଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ବୀଭତ୍ସ ଆକ୍ରମଣ। ଖଣ୍ଡା ଓ ଅନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜଣେ ଯୁବକଙ୍କ ହାତ ଛିଣ୍ଡାଇ ଦେଇଛନ୍ତି ଦୁର୍ବୃତ୍ତ। ଏହି ଆକ୍ରମଣରେ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗମ୍ଭୀର ଆଘାତ ଲାଗିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଏସ୍. ଟିକରପଡ଼ା ଗାଁର କାଳିଆ ଗୌଡ଼ଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡା ଓ ଅନ୍ୟ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡା ଚୋଟରେ ତାଙ୍କ ହାତ ଛିଣ୍ଡିଯାଇଥିବା ଜଣାପଡ଼ିଛି। ଏଥିସହ ତାଙ୍କ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଭୀର ଆଘାତ ଲାଗିଛି।
ଘଟଣା ପରେ ଆହତ କାଳିଆଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କ ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ପାଇ କେ. ନୂଆଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପଛରେ ପୂର୍ବଶତ୍ରୁତା ଥିବା କୁହାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

