କମାଲ୍ କରିବେ ଜୁନିୟର ସେହୱାଗ-ଦ୍ରାବିଡ଼, ବିଶ୍ୱକପ ଖେଳିବେ ଆର୍ଯ୍ୟବୀର-ଅନ୍ୱୟ

ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟରେ ଆୟୋଜିତ ହେବ ଏସିସି ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୬। ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପାଇଁ ଅକ୍ଟୋବର ୩୦ ତାରିଖରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିବା ଖବର ଆସିଛି।

ବାପା ଥିଲେ କ୍ରିକେଟ୍ ମୈଦାନର ବାଦଶାହ, ଏବେ ପୁଅଙ୍କ ପାଳି ! ଜଣଙ୍କ ବାପାଙ୍କ ବ୍ୟାଟ୍ ଗର୍ଜିଲେ ବୋଲରଙ୍କ ନିଦ ହଜିଯାଉଥିଲା, ଆଉ ଜଣଙ୍କ ବାପା କ୍ରିଜ୍‌ରେ ଛିଡ଼ା ହେଲେ ବୋଲରଙ୍କ ଧୈର୍ଯ୍ୟ ଭାଙ୍ଗିଯାଉଥିଲା। ଜଣେ ଥିଲେ ଭାରତୀୟ କ୍ରିକେଟ୍‌ର ବିସ୍ଫୋରକ ବୀରେନ୍ଦ୍ର ସେହୱାଗ, ଆଉ ଜଣେ ଥିଲେ ଅଭେଦ୍ୟ ପ୍ରାଚୀର ରାହୁଲ ଦ୍ରାବିଡ଼। ଏବେ ଦୁଇ କିମ୍ବଦନ୍ତୀଙ୍କ ପୁଅଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍‌ର ନୂଆ ଅଧ୍ୟାୟ। ବାପାଙ୍କ ଭଳି ପୁଅମାନେ ବି ରଚିପାରିବେ କି ଇତିହାସ? ଅଣ୍ଡର-୧୯ ଏସିଆ କପ୍‌ରେ ଚମକିବ କି ଦୁଇ କିମ୍ବଦନ୍ତୀ ଉତ୍ତରାଧିକାରୀଙ୍କ ଭାଗ୍ୟ?

ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟରେ ଆୟୋଜିତ ହେବ ଏସିସି ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୬। ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପାଇଁ ଅକ୍ଟୋବର ୩୦ ତାରିଖରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିବା ଖବର ଆସିଛି। ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଅଧିନାୟକ ଏବଂ ୟଶବର୍ଦ୍ଧନ ସିଂହ ଚୌହାନଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। 

ତେବେ ଦଳ ଘୋଷଣା ପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଦୁଇ ଯୁବ କ୍ରିକେଟର୍। ପୂର୍ବତନ ଭାରତୀୟ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବଂ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଦ୍ରାବିଡ଼। ଉଭୟଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିବାରୁ ପ୍ରଶଂସକଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ବାପାଙ୍କ ଭଳି ଆର୍ଯ୍ୟବୀର ମଧ୍ୟ ଜଣେ ଆକ୍ରମଣାତ୍ମକ ବ୍ୟାଟର୍ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି। ଘରୋଇ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛି। ୨୦୨୪ରେ କୁଚ୍ ବିହାର ଟ୍ରଫିରେ ମେଘାଳୟ ବିପକ୍ଷରେ ୨୯୭ ରନ୍‌ର ଇନିଂସ ଖେଳି ସେ ଚର୍ଚ୍ଚାକୁ ଆସିଥିଲେ।

ଅନ୍ୟପଟେ ଅନ୍ୱୟ ଦ୍ରାବିଡ଼ଙ୍କୁ ୱିକେଟକିପର୍-ବ୍ୟାଟର୍ ଭାବେ ସୁଯୋଗ ମିଳିଛି। ବ୍ୟାଟିଂ ସହ ୱିକେଟ୍ ପଛରେ ମଧ୍ୟ ତାଙ୍କୁ ଗୁରୁଦାୟିତ୍ୱ ତୁଲାଇବାକୁ ପଡ଼ିବ। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଯୁବ ଦିନିକିଆ ମ୍ୟାଚ୍‌ରେ ସେ ୮୭ ରନ୍‌ର ଇନିଂସ ଖେଳି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ରଜତ ବଘେଲ ଦଳର ଅନ୍ୟତମ ୱିକେଟକିପର୍ ରହିଛନ୍ତି।  ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଗ୍ରୁପ୍-ଏରେ ସ୍ଥାନ ମିଳିଛି। ଏହି ଗ୍ରୁପ୍‌ରେ ଭାରତ ସହ ପାକିସ୍ତାନ, ନେପାଳ ଏବଂ ୟୁଏଇ ରହିଛନ୍ତି। ନଭେମ୍ବର ୮ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢ଼େଇ ସବୁବେଳେ ରୋମାଞ୍ଚକର ହୋଇଥାଏ। 

ସେହିପରି ଗ୍ରୁପ୍-ବିରେ ରହିଛନ୍ତି ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ମାଲେସିଆ। ଉଭୟ ଗ୍ରୁପ୍‌ରୁ ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ନଭେମ୍ବର ୧୨ରେ ସେମିଫାଇନାଲ୍ ଏବଂ ୧୪ ତାରିଖରେ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଭାରତ ପାଇଁ ଏହି ଏସିଆ କପ୍ କେବଳ ଟ୍ରଫି ଜିତିବାର ଲଢ଼େଇ ନୁହେଁ, ବରଂ ଆଗାମୀ ଦିନର ତାରକା ଖେଳାଳିଙ୍କୁ ପରଖିବାର ଏକ ବଡ଼ ସୁଯୋଗ। ଏବେ ପ୍ରଶ୍ନ, ବାପାଙ୍କ ଭଳି ନିଜ ବ୍ୟାଟ୍‌ରେ କମାଲ୍ କରିପାରିବେ କି ଆର୍ଯ୍ୟବୀର ଓ ଅନ୍ୱୟ? ଭାରତକୁ ଏସିଆର ଚାମ୍ପିଅନ୍ କରାଇବାରେ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ କି? ଏହାର ଉତ୍ତର ଦେବ ମସ୍କଟର କ୍ରିକେଟ୍ ମଇଦାନ।

Leave a Reply

Your email address will not be published. Required fields are marked *