ଏସିଆନ୍ ଗେମ୍ସରେ ଭାରତର ଗୋଲ୍ଡେନ୍ ଆରମ୍ଭ । ଆର୍ଚେରୀରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛି ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍ । ଜ୍ୟୋତି ସୁରେଖା ଭେନ୍ନମ୍, ଚିଖିତା ତନିପାର୍ଥୀ ଏବଂ ପୃଥିକା ପ୍ରଦୀପଙ୍କ ତ୍ରିମୂର୍ତ୍ତି ଚୀନ୍କୁ ହରାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।
ଏସିଆନ୍ ଗେମ୍ସରେ ଭାରତର ଗୋଲ୍ଡେନ୍ ଆରମ୍ଭ । ଆର୍ଚେରୀରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛି ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍ । ଜ୍ୟୋତି ସୁରେଖା ଭେନ୍ନମ୍, ଚିଖିତା ତନିପାର୍ଥୀ ଏବଂ ପୃଥିକା ପ୍ରଦୀପଙ୍କ ତ୍ରିମୂର୍ତ୍ତି ଚୀନ୍କୁ ହରାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଆଉ ଏହି ବିଜୟରେ ରହିଛି ଅଭିଜ୍ଞତା, ଯୁବ ଉତ୍ସାହ ଓ ଜବରଦସ୍ତ ଟିମ୍ୱର୍କର ଚମତ୍କାର ମିଶ୍ରଣ । ଜ୍ୟୋତି ସୁରେଖା ଭେନ୍ନମ୍ଙ୍କ ପାଇଁ ଏହି ସ୍ୱର୍ଣ୍ଣ ବେଶ୍ ଖାସ୍ । ୨୦୨୩ ଏସିଆନ୍ ଗେମ୍ସରେ ଜ୍ୟୋତି ମହିଳା ବ୍ୟକ୍ତିଗତ, ମହିଳା ଟିମ୍ ଓ ମିକ୍ସଡ୍ ଟିମ୍—ତିନୋଟି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ । କିନ୍ତୁ ଚଳିତ ଏସିଆନ୍ ଗେମ୍ସରେ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ୧୪ ବର୍ଷୀୟ କୋରିଆନ୍ ଆର୍ଚର୍ କାଙ୍ଗ୍ ୟୋନ୍-ସିଓଙ୍କଠାରୁ ପରାସ୍ତ ହୋଇଥିଲେ । ତେଣୁ ଟିମ୍ ଇଭେଣ୍ଟର ସ୍ୱର୍ଣ୍ଣ ତାଙ୍କ ପାଇଁ ଏକ ଦମଦାର ପ୍ରତ୍ୟାବର୍ତ୍ତନ ଭାବେ ଆସିଛି ।
ଅନ୍ୟପଟେ ଚିଖିତା ତନିପାର୍ଥୀଙ୍କ କାହାଣୀ ମଧ୍ୟ ପ୍ରେରଣାଦାୟକ । କୃଷକ ପରିବାରରୁ ଆସିଥିବା ଚିଖିତାଙ୍କୁ ତାଙ୍କ ବାପା ଛୋଟବେଳେ ଆର୍ଚେରୀ ପାଇଁ ପ୍ରେରଣା ଦେଇଥିଲେ । ୨୦୨୫ରେ ୱାର୍ଲ୍ଡ ଆର୍ଚେରୀ ୟୁଥ୍ ଚାମ୍ପିଅନସିପ୍ରେ ଅଣ୍ଡର-୨୧ ମହିଳା ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତି ସେ ଇତିହାସ ରଚିଥିଲେ । ପୃଥିକା ପ୍ରଦୀପ ମଧ୍ୟ ସ୍କୁଲ୍ରେ ପଢୁଥିବା ସମୟରେ ଶୌକ ଭାବେ ଆର୍ଚେରୀ ଆରମ୍ଭ କରିଥିଲେ । ପରେ ପରିବାରର ସମର୍ଥନ ଓ ନିୟମିତ ପ୍ରଶିକ୍ଷଣ ତାଙ୍କୁ ଅନ୍ତର୍ଜାତୀୟ ସ୍ତରର ଖେଳାଳି କରିଛି ।
ଫାଇନାଲରେ ଚୀନ୍ ବିରୋଧରେ ଭାରତର ପ୍ରଦର୍ଶନ ଥିଲା ଏକତରଫା । ପ୍ରଥମ ଏଣ୍ଡ୍ରେ ଭାରତ ୬୦-୫୮ରେ ଆଗୁଆ ହୋଇଥିଲା । ଦ୍ୱିତୀୟ ଏଣ୍ଡ୍ରେ ମଧ୍ୟ ୬୦-୫୮ରେ ଜିତି ଭାରତ ନିଜର ଲିଡ୍ ବଜାୟ ରଖିଥିଲା । ଶେଷ ଏଣ୍ଡ୍ରେ ଚୀନ୍ ଚାପରେ ଦୁଇଟି ୯ ସ୍କୋର କରିଥିବାବେଳେ ଭାରତୀୟ ଖେଳାଳିମାନେ ଦେଖାଇଥିଲେ ଅସାଧାରଣ ନିଶାନା । ଶେଷ ଏଣ୍ଡ୍ରେ ଭାରତ ମାରିଥିଲା ଛଅଟି ପର୍ଫେକ୍ଟ ୧୦ । ଏହା ସହ ଚୀନ୍କୁ ପଛରେ ପକାଇ ଭାରତ ହାତେଇଛି ସ୍ୱର୍ଣ୍ଣ । ଏହି ବିଜୟ ସହ ଭାରତ ଟାଇଟଲ୍ ବଜାୟ ରଖିବା ସହ ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି ।
ଜ୍ୟୋତିଙ୍କ ଅଭିଜ୍ଞତା, ଚିଖିତା ଓ ପୃଥିକାଙ୍କ ଯୁବ ଉତ୍ସାହ ଏବଂ ତିନି ଖେଳାଳିଙ୍କ ନିଖୁଣ ନିଶାନା ଭାରତକୁ ଦେଇଛି ଏହି ଗୋଲ୍ଡେନ୍ ଆରମ୍ଭ । ଆର୍ଚେରୀରେ ନିଶାନା ଅଚୁକ୍, ଆଉ ଏସିଆନ୍ ଗେମ୍ସରେ ଭାରତର ଖାତା ଖୋଲିଛି ସ୍ୱର୍ଣ୍ଣରେ ।

