ଇରାନର ସୁରକ୍ଷା ମୁଖ୍ୟ ମୋହସେନ ରେଜାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତେହେରାନ ଦେଶରୁ ଗୋଟିଏ ଗ୍ରାମ ମଧ୍ୟ ୟୁରାନିୟମ ବାହାରକୁ ପଠାଇବ ନାହିଁ। ଇରାନର ସରକାରୀ ଟିଭି ଅନୁଯାୟୀ
ଇରାନର ସୁରକ୍ଷା ମୁଖ୍ୟ ମୋହସେନ ରେଜାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତେହେରାନ ଦେଶରୁ ଗୋଟିଏ ଗ୍ରାମ ମଧ୍ୟ ୟୁରାନିୟମ ବାହାରକୁ ପଠାଇବ ନାହିଁ। ଇରାନର ସରକାରୀ ଟିଭି ଅନୁଯାୟୀ, ମୋହସେନ ରେଜାଇ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ଆଲୋଚନା ସମୟରେ ଏଭଳି ରୋକଠୋକ୍ ବିବୃତି ଦେଇଛନ୍ତି। ପାକିସ୍ତାନୀ ସେନା ମୁଖ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ତେହେରାନରେ ପହଞ୍ଚିଥିଲେ। ରେଜାଇ ଏହା ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେରିକା ଆମର ଦାବି ପୂରଣ ନ କରିଛି, ବିଶ୍ୱାସ ସୃଷ୍ଟି ପାଇଁ ପଦକ୍ଷେପ ନନେଇଛି, ସେପର୍ଯ୍ୟନ୍ତ ଆଲୋଚନା ହେବ ନାହିଁ। ଏହି ପ୍ରକ୍ରିୟା ଇରାନର ସମସ୍ତ ସର୍ତ୍ତକୁ ପୂର୍ଣ୍ଣ ଗ୍ରହଣ କରି ଆରମ୍ଭ ହେବା ଉଚିତ୍।ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ କହିଛନ୍ତି ଯେ ପରମାଣୁ ସାମଗ୍ରୀର ଏକ ଛୋଟ ଅଂଶ ମଧ୍ୟ ଇରାନ ଛାଡିବ ନାହିଁ। ଏପରି ସାମଗ୍ରୀ ଇରାନ ଲୋକଙ୍କ ପାଇଁ ଏକ ମହାନ ସମ୍ପତ୍ତି ଏବଂ ଜାତୀୟ ସମ୍ପତ୍ତି, ଯାହାକୁ ଦେଶ ଭିତରେ ବ୍ୟବହାର କରାଯିବା ଆବଶ୍ୟକ। ରେଜାଇ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ମଧ୍ୟ ଏହା ଦୋହରାଇଛନ୍ତି।
ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ମଧ୍ୟ ମୁନିରଙ୍କୁ ଭେଟି ଆମେରିକାର ଧମକ ମଧ୍ୟରେ ଆଲୋଚନାର ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ପେଜେଶକିୟାନ କହିଛନ୍ତି, ଆମେରିକା ପ୍ରଥମେ ନିଜର ଧମକ ଦେବା ବନ୍ଦ କରି କଟକଣା ଉଠାଇବା ଉଚିତ୍। ତା’ପରେ ହିଁ ଆମେ ଆଲୋଚନା କରିବୁ। ଆମ ଦେଶ ଆଉ ଆମେରିକା ଉପରେ ବିଶ୍ୱାସ କରୁନାହିଁ। ଆମେ ଅନୁଭବ କରୁଛୁ, ଯଦି ଆମେ ଆଲୋଚନାରେ ସାମିଲ ହେବୁ ତେବେ ସେମାନେ ପୁଣି ଆମ ଉପରେ ଆକ୍ରମଣ କରିବେ।
ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ ମଧ୍ୟ ଅସୀମ ମୁନିରଙ୍କୁ ଭେଟି କହିଛନ୍ତି ଯେ, ଆମେରିକା ସମସ୍ତ ସାତଟି ସର୍ତ୍ତ ପୂରଣ ନ କଲେ ଇରାନର ବିଶ୍ୱାସ ଜିତିପାରିବ ନାହିଁ। ଧମକ ଏବଂ ସାମରିକ କାର୍ଯ୍ୟକଳାପ ଇରାନର ରଣନୈତିକ ନିଷ୍ପତ୍ତିକୁ ପ୍ରଭାବିତ କରିପାରିବ ନାହିଁ।

