ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଏସ୍-୬ ଗାଡ଼ି ମାଲିକଙ୍କୁ ବାରମ୍ବାର ପିୟୁସି କରାଇବାକୁ ପଡ଼ିବ ନାହିଁ । ସେହିପରି ବିଏସ୍ -୧ ଠାରୁ ବିଏସ୍-୪ ପର୍ଯ୍ୟନ୍ତ ପୁରୁଣା ଯାନବାହନ ପାଇଁ ପ୍ରଦୂଷଣ ଯାଞ୍ଚ ନିୟମକୁ ଅଧିକ କଠୋର କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି, ଯାହା ଦ୍ୱାରା ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ କଡ଼ା ନଜର ରଖାଯିବ ।
ଦିନକୁ ଦିନ ବଢ଼ୁଥିବା ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଯାନବାହାନ ସମ୍ବନ୍ଧୀୟ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ଡ୍ରାଫ୍ଟ ବିଜ୍ଞପ୍ତି ଅନୁଯାୟୀ, ବିଏସ୍-୬ ମାନକର ନୂଆ ବ୍ୟକ୍ତିଗତ ଗାଡ଼ି ପାଇଁ ପିୟୁସି ସାର୍ଟିଫିକେଟ୍ର ବୈଧତାକୁ ଏକ ବର୍ଷରୁ ବୃଦ୍ଧି କରାଯାଇ ୩ ବର୍ଷ କରାଯିବାକୁ ପ୍ରସ୍ତାବ ରହିଛି ।
ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଏସ୍-୬ ଗାଡ଼ି ମାଲିକଙ୍କୁ ବାରମ୍ବାର ପିୟୁସି କରାଇବାକୁ ପଡ଼ିବ ନାହିଁ । ସେହିପରି ବିଏସ୍ -୧ ଠାରୁ ବିଏସ୍-୪ ପର୍ଯ୍ୟନ୍ତ ପୁରୁଣା ଯାନବାହନ ପାଇଁ ପ୍ରଦୂଷଣ ଯାଞ୍ଚ ନିୟମକୁ ଅଧିକ କଠୋର କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି, ଯାହା ଦ୍ୱାରା ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ କଡ଼ା ନଜର ରଖାଯିବ । ସରକାର ଏନେଇ ଜନସାଧାରଣଙ୍କ ମତାମତ ଓ ଆପତ୍ତି ଆହ୍ୱାନ କରିଛନ୍ତି । ସମସ୍ତ ପ୍ରସ୍ତାବ ଉପରେ ବିଚାର କରିବା ପରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ହେବ । ତେଣୁ ବର୍ତ୍ତମାନ ପାଇଁ ପୁରୁଣା ପିୟୁସି ନିୟମ ହିଁ ଲାଗୁ ରହିଛି ।
ଡ୍ରାଫ୍ଟ ନିୟମ ଅନୁସାରେ, ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍-୬ ଗାଡ଼ିର ପିୟୁସି ସାର୍ଟିଫିକେଟ୍ର ବୈଧତା ୩ ବର୍ଷ କରାଯିବାକୁ ପ୍ରସ୍ତାବ ରହିଛି । ଅର୍ଥାତ୍ ପ୍ରଥମ ୬ ବର୍ଷ ମଧ୍ୟରେ ପ୍ରତିବର୍ଷ ପିୟୁସି କରାଇବାର ଆବଶ୍ୟକତା ରହିବ ନାହିଁ । ୬ରୁ ୧୦ ବର୍ଷ ପୁରୁଣା ବିଏସ୍-୬ ଗାଡ଼ି ପ୍ରତି ୧ ବର୍ଷରେ ଥରେ ପିୟୁସି ନବୀକରଣ କରିବାକୁ ପଡ଼ିବ । ଅନ୍ୟପଟେ ୧୦ ବର୍ଷରୁ ଅଧିକ ପୁରୁଣା ବିଏସ୍-୬ ଗାଡ଼ି ପ୍ରତି ୬ ମାସରେ ଥରେ ପିୟୁସି କରାଇବା ବାଧ୍ୟତାମୂଳକ ହେବ । ଏଥି ସହିତ ପୁରୁଣା ଯାନବାହନ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବିଏସ୍-୪ ଗାଡ଼ି ପାଇଁ ପ୍ରତି ୬ ମାସରେ ପିୟୁସି କରାଇବାକୁ ପଡ଼ିବ । ବିଏସ୍-୧, ବିଏସ୍-୨ ଓ ବିଏସ୍-୩ ଗାଡ଼ି ପାଇଁ ପିୟୁସିର ବୈଧତା କେବଳ ୩ ମାସ ରଖିବାକୁ ପ୍ରସ୍ତାବ ରହିଛି । ସରକାରଙ୍କ କହିବା ଅନୁସାରେ, ସମୟ ବଢ଼ିବା ସହିତ ଇଞ୍ଜିନ୍ ଓ ଏମିସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ର କାର୍ଯ୍ୟକ୍ଷମତା କମିଯାଏ । ଫଳରେ ପ୍ରଦୂଷଣର ପରିମାଣ ବଢ଼ିବାର ସମ୍ଭାବନା ଥାଏ । ତେଣୁ ପୁରୁଣା ଗାଡ଼ି ପାଇଁ ପ୍ରଦୂଷଣ ଯାଞ୍ଚ ବ୍ୟବଧାନ କମ୍ ରଖିବାକୁ ପ୍ରସ୍ତାବ ଦିଆଯାଇଛି ।
ବୈଧ ପିୟୁସି ସାର୍ଟିଫିକେଟ୍ ବିନା ରାସ୍ତାରେ ଗାଡ଼ି ଚଳାଇଲେ ମୋଟର ଯାନ ଆଇନ ଅନୁସାରେ ଜରିମାନା ଦେବାକୁ ପଡ଼ିପାରେ । ତେଣୁ ସମୟରେ ପିୟୁସି କରାଇବା ଆଇନଗତ ଭାବେ ମଧ୍ୟ ଜରୁରୀ । ସୂଚନା ଯୋଗ୍ୟଯେ ବିଏସ୍-୬ ହେଉଛି ଭାରତର ସବୁଠାରୁ ଆଧୁନିକ ଯାନ ଉତ୍ସର୍ଜନମାନକ, ଯାହା ୧ ଏପ୍ରିଲ ୨୦୨୦ରୁ ସାରା ଦେଶରେ ଲାଗୁ ହୋଇଛି । ଏହି ପ୍ରଯୁକ୍ତିରେ ଇଞ୍ଜିନ୍ ସିଷ୍ଟମ୍କୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ କାର୍ବନ ମନୋକ୍ସାଇଡ୍ (CO), ନାଇଟ୍ରୋଜେନ୍ ଅକ୍ସାଇଡ୍ (NOx), ହାଇଡ୍ରୋକାର୍ବନ୍ (HC) ଓ ପାର୍ଟିକ୍ୟୁଲେଟ୍ ମ୍ୟାଟର୍ (PM) ପରି କ୍ଷତିକାରକ ପ୍ରଦୂଷକର ପରିମାଣ ବହୁତ କମିଯାଏ । ବିଏସ୍-୬ ଗାଡ଼ିରେ ଆଧୁନିକ କାଟାଲିଟିକ୍ କନଭର୍ଟର୍, ଡିଜେଲ୍ ପାର୍ଟିକ୍ୟୁଲେଟ୍ ଫିଲ୍ଟର୍ (DPF), ସିଲେକ୍ଟିଭ୍ କାଟାଲିଟିକ୍ ରିଡକ୍ସନ୍ (SCR) ଏବଂ ଉନ୍ନତ ଫ୍ୟୁଏଲ୍ ଇଞ୍ଜେକ୍ସନ୍ ସିଷ୍ଟମ୍ ବ୍ୟବହାର କରାଯାଏ । ତେଣୁ ଏହି ଗାଡ଼ିଗୁଡ଼ିକ ବିଏସ୍-୪ ଓ ତା’ଠାରୁ ପୁରୁଣା ମଡେଲ୍ ତୁଳନାରେ ଅଧିକ ପରିବେଶ ଅନୁକୂଳ ବୋଲି ଧରାଯାଏ ।

