ଅଭିଯୁକ୍ତଙ୍କ ସନ୍ଧାନରେ ଯାଇଥିବା ପୁଲିସ ଦଳ ଉପରେ ଆକ୍ରମଣ: ଏସଆଇଙ୍କ ପୋଷାକ ଛିଣ୍ଡାଇ ଲାଠି ଏବଂ ପଥର ମାଡ଼

ଜଣେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଗାଁରେ ପହଞ୍ଚିଥିବା ପୁଲିସ ଟିମ୍‌ ଉପରେ ଅଭିଯୁକ୍ତଙ୍କ ପରିବାର ସଦସ୍ୟମାନେ ଲାଠି ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜଣେ ସବ୍‌-ଇନ୍ସପେକ୍ଟର (SI)ଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ପୁଲିସ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଜଣେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଗାଁରେ ପହଞ୍ଚିଥିବା ପୁଲିସ ଟିମ୍‌ ଉପରେ ଅଭିଯୁକ୍ତଙ୍କ ପରିବାର ସଦସ୍ୟମାନେ ଲାଠି ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜଣେ ସବ୍‌-ଇନ୍ସପେକ୍ଟର (SI)ଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆକ୍ରମଣ ସମୟରେ SI ଧରା ସିଂହ ଚାଭଡ଼ାଙ୍କ ପୋଷାକ ମଧ୍ୟ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି ।

କ’ଣ ଥିଲା ପୂରା ଘଟଣା ?

ସୂଚନା ଅନୁସାରେ, ଉଜ୍ଜୟିନୀ ଜିଲ୍ଲାର ଉନହେଲ ଥାନା ଅନ୍ତର୍ଗତ ନାଗଝିରି ଗାଁରେ ଏହି ଘଟଣା ଘଟିଛି। ଗାଁର ବାସିନ୍ଦା କାଞ୍ଚନବାଈ ତାଙ୍କ ପଡ଼ୋଶୀ ସର୍ଦ୍ଦାର ସିଂହଙ୍କ ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ପ୍ରାୟ ୮ ଦିନ ପୂର୍ବରୁ ପୁଲିସ ନିକଟରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ସର୍ଦ୍ଦାର ସିଂହଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଇଥିଲା । କିନ୍ତୁ ସେ ଥାନାରେ ହାଜର ହୋଇନଥିବାରୁ ତାଙ୍କୁ ଖୋଜିବା ପାଇଁ ବୁଧବାର ଅପରାହ୍ନରେ ପୁଲିସ ଟିମ୍‌ ନାଗଝିରି ଗାଁରେ ପହଞ୍ଚିଥିଲା।

ଲାଠି ଓ ପଥରରେ ଆକ୍ରମଣ, ୪ ପୁଲିସ ଆହତ

ପୁଲିସ ଟିମ୍‌ ଗାଁରେ ପହଞ୍ଚିବା ପରେ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ସହ ବିବାଦ ହୋଇଥିବା ଅଭିଯୋଗ ହୋଇଛି। ପରେ ଉତ୍ତ୍ୟକ୍ତ ଲୋକେ ପୁଲିସ କର୍ମଚାରୀଙ୍କୁ ଲାଠି ଓ ପଥରରେ ଆକ୍ରମଣ କରିଥିବା କୁହାଯାଉଛି । ଏହି ସମୟରେ SI ଧରା ସିଂହ ଚାଭଡ଼ାଙ୍କୁ ମଧ୍ୟ ଆକ୍ରମଣ କରାଯିବା ସହ ତାଙ୍କ ପୋଷାକ ଚିରି ଦିଆଯାଇଥିଲା । ଆକ୍ରମଣରେ ଆହତ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା ।

୭ ଜଣଙ୍କ ବିରୋଧରେ ମାମଲା, ତଦନ୍ତ ଜାରି

ପୁଲିସ ଏହି ଘଟଣାରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରହିଛି। ଏହାସହ ପଚରାଉଚରା ପାଇଁ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଘଟଣା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ନାଗଝିରି ଗାଁରେ ପୁଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି। ଗାଁରେ ଶାନ୍ତି ବଜାୟ ରଖିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *