ଇରାନୀ ମହିଳା ରାହେଲେହ ଗଦିରୀ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ଆଦୌ ଡର ଲାଗେନି ବୋଲି କହିବା ମିଛ ହେବ। କିନ୍ତୁ ଯଦି ଆମେ ପ୍ରସ୍ତୁତ ରହିବା ଏବଂ ଜରୁରୀକାଳୀନ ଯୁଦ୍ଧ ପରିସ୍ଥିତିରେ ଶତ୍ରୁର ସାମ୍ନା କିପରି କରିବା, ନିଜ ପରିବାର ଓ ଅଞ୍ଚଳକୁ କିପରି ସୁରକ୍ଷା ଦେବା, ତାହା ଜାଣିଥିବା ତେବେ ଆମ ମନରେ ଭୟ ଓ ଆତଙ୍କ ରହିବ ନାହିଁ।
ଆମେରିକା ଓ ଇସ୍ରାଏଲ ବିରୋଧରେ ଗୁପ୍ତ ଅସ୍ତ୍ର ଭାବେ ନିଜର ମହିଳା ଗୁରିଲା ବାହିନୀକୁ ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଛି ଇରାନ। ଏଥିପାଇଁ ମହିଳାମାନଙ୍କୁ ସାମରିକ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛି ଇରାନ। ଯେଉଁ ଇସଲାମିକ ଶାସନ ଉପରେ ମହିଳାଙ୍କ ଉପରେ କଟକଣା ଲଗାଇବାର ଅଭିଯୋଗ ରହିଛି, ଏବେ ସେହି ମହିଳାମାନଙ୍କୁ ଶତ୍ରୁ ବିରୋଧରେ ମୁତୟନ କରିବାକୁ ଯୋଜନା କରୁଛି।
ଏଥିପାଇଁ ସାଧାରଣ ମହିଳାଙ୍କୁ ମଧ୍ୟ ଅସ୍ତ୍ରଶସ୍ତ୍ର ଚଳାଇବାର ପ୍ରଶିକ୍ଷଣ ଦିଆଯାଉଛି। ଗୋଟିଏ ପଟେ ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ ଓ ଆମେରିକା ନିଜର ସାମରିକ ଶକ୍ତି ବଢ଼ାଉଥିବା ବେଳେ ପରସ୍ପରକୁ ଯୁଦ୍ଧ ଧମକ ଦେଉଛନ୍ତି। ଅନ୍ୟପଟେ ତେହେରାନର ଇମାମ ହୁସେନ୍ ସ୍କୋୟାରରେ ବୁର୍ଖା ଓ ହିଜାବ ପିନ୍ଧିଥିବା ମହିଳାଙ୍କ ହାତରେ ଦେଖିବାକୁ ମିଳୁଛି ସ୍ୱୟଂଚାଳିତ ରାଇଫଲ୍। ଏହି ମହିଳାମାନେ ଅସ୍ତ୍ର ଚାଳନାର ଅଭ୍ୟାସ କରୁଥିବା ବେଳେ ପ୍ରଶିକ୍ଷକ କମାଣ୍ଡୋଙ୍କଠାରୁ ତାଲିମ ନେଉଛନ୍ତି।
ତେହେରାନର ଏହି ସାମରିକ ପ୍ରଶିକ୍ଷଣ କେନ୍ଦ୍ରରେ ଇରାନୀ ମହିଳାଙ୍କୁ ଅସ୍ତ୍ରଶସ୍ତ୍ର ଚାଳନାର ତାଲିମ ଦିଆଯାଉଛି। ଯଦି ଆମେରିକା କିମ୍ବା ଇସ୍ରାଏଲ ତେହେରାନ ଉପରେ ଆକ୍ରମଣ ପାଇଁ ସ୍ଥଳସେନା ପଠାନ୍ତି, ତେବେ ସେମାନଙ୍କର କିପରି ମୁକାବିଲା କରାଯିବ, ସେନେଇ ମହିଳାଙ୍କୁ ପ୍ରସ୍ତୁତ କରାଯାଉଛି।
ଇରାନୀ ମହିଳା ରାହେଲେହ ଗଦିରୀ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ଆଦୌ ଡର ଲାଗେନି ବୋଲି କହିବା ମିଛ ହେବ। କିନ୍ତୁ ଯଦି ଆମେ ପ୍ରସ୍ତୁତ ରହିବା ଏବଂ ଜରୁରୀକାଳୀନ ଯୁଦ୍ଧ ପରିସ୍ଥିତିରେ ଶତ୍ରୁର ସାମ୍ନା କିପରି କରିବା, ନିଜ ପରିବାର ଓ ଅଞ୍ଚଳକୁ କିପରି ସୁରକ୍ଷା ଦେବା, ତାହା ଜାଣିଥିବା ତେବେ ଆମ ମନରେ ଭୟ ଓ ଆତଙ୍କ ରହିବ ନାହିଁ।
କେବଳ ସ୍ୱୟଂଚାଳିତ ରାଇଫଲ୍ ନୁହେଁ, ଇରାନୀ ମହିଳାଙ୍କୁ ରକେଟ୍ ଲଞ୍ଚର ଚଳାଇବା ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଥିବା ଦାବି କରାଯାଇଛି। ଏପରିକି ଛୋଟ ପିସ୍ତଲ ବ୍ୟବହାର ସମ୍ପର୍କରେ ମଧ୍ୟ ସେମାନଙ୍କୁ ତାଲିମ ଦିଆଯାଉଛି। ମହିଳାମାନେ କେବଳ ହାତରେ ଅସ୍ତ୍ର ଧରି ଫଟୋ ଉଠାଉନାହାନ୍ତି, ବରଂ କମାଣ୍ଡୋଙ୍କ ଭଳି ସାମରିକ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳୁଛି।
ରାହେଲେହ ଗଦିରୀ ଆହୁରି କହିଛନ୍ତି, ଆମେ ନିଜ ବ୍ୟବସ୍ଥା ଓ ନେତାଙ୍କ ସହ ଠିଆ ହୋଇଛୁ। ପ୍ରତ୍ୟେକ କ୍ଷେତ୍ରରେ ଇରାନକୁ ପୁଣିଥରେ ଗୌରବାନ୍ୱିତ କରିବାକୁ ଆମେ ଉଦ୍ୟମ କରୁଛୁ। ଯଦି ଏଥର ପ୍ରକୃତରେ ଯୁଦ୍ଧ ହୁଏ, ତେବେ ଏହା ଶେଷ ଯୁଦ୍ଧ ହେଉ ଏବଂ ଆମର ଶତ୍ରୁମାନଙ୍କ ପରାଜୟ ହେଉ ବୋଲି ଆମେ ଚାହୁଁଛୁ।
ଇରାନର IRGC ଏବଂ ବାସିଜ୍ ରେଜିଷ୍ଟାନ୍ସ ଫୋର୍ସ ମଧ୍ୟ ମହିଳାମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ପ୍ରଶିକ୍ଷଣ ଦେଉଥିବା ଦାବି ହୋଇଛି। ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ ପାଇଁ ମହିଳାମାନେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ଥିବା କୁହାଯାଉଛି। ଇରାନରେ ଯଦି ଶତ୍ରୁ ସେନା ପ୍ରବେଶ କରେ, ତେବେ ମହିଳାଙ୍କ ଏହି ବାହିନୀ ଗୁରିଲା ଯୁଦ୍ଧରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି IRGC ଆକଳନ କରୁଥିବା ରିପୋର୍ଟରେ ଦାବି କରାଯାଇଛି।

