ଚାକିରିଆଙ୍କ ପାଇଁ ବଡ଼ ସୁବିଧା ଆଣିଛି Employees’ Provident Fund Organisation ବା EPFO। ଏଣିକି EPF ଖାତାର କିଛି ଜରୁରୀ ସୂଚନା ପାଇବା ପାଇଁ ବାରମ୍ବାର EPFO ୱେବସାଇଟ୍କୁ ଯିବା କିମ୍ବା ଅଫିସ୍ କୁ ବାରମ୍ବାର ଯିବା ଦରକାର ପଡ଼ିବ ନାହିଁ
ଚାକିରିଆଙ୍କ ପାଇଁ ବଡ଼ ସୁବିଧା ଆଣିଛି Employees’ Provident Fund Organisation ବା EPFO। ଏଣିକି EPF ଖାତାର କିଛି ଜରୁରୀ ସୂଚନା ପାଇବା ପାଇଁ ବାରମ୍ବାର EPFO ୱେବସାଇଟ୍କୁ ଯିବା କିମ୍ବା ଅଫିସ୍ କୁ ବାରମ୍ବାର ଯିବା ଦରକାର ପଡ଼ିବ ନାହିଁ । EPFO ପକ୍ଷରୁ WhatsApp ଆଧାରିତ ନୂଆ ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ସଦସ୍ୟମାନେ ନିଜ PF ବାଲାନ୍ସ ଜାଣିବା ସହ ଶେଷ ୫ଟି ଟ୍ରାଞ୍ଜାକ୍ସନ୍ ଦେଖିପାରିବେ ଏବଂ EPF ପାସବୁକ୍ ମଧ୍ୟ ଡାଉନଲୋଡ୍ କରିପାରିବେ ।
EPFOର ସ୍ଥାପନା ଦିବସ ଅବସରରେ ନଭେମ୍ବର ୧ ତାରିଖରେ ଏହି WhatsApp ସେବାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହାକୁ ଲଞ୍ଚ କରିଛନ୍ତି । EPFOର ଡିଜିଟାଲ୍ ଯାତ୍ରାରେ ଏହାକୁ ଏକ ନୂଆ ପଦକ୍ଷେପ ବୋଲି କୁହାଯାଉଛି। ଦୈନନ୍ଦିନ ଖାତା ସମ୍ବନ୍ଧୀୟ ସୂଚନାକୁ ସହଜରେ ଉପଲବ୍ଧ କରାଇବା ଏହି ସେବାର ପ୍ରମୁଖ ଉଦ୍ଦେଶ୍ୟ ।
WhatsAppରେ କେମିତି ଦେଖିବେ PF ବାଲାନ୍ସ?
ଏହି ସେବା ବ୍ୟବହାର କରିବା ପାଇଁ ପ୍ରଥମେ EPFOର ଅଫିସିଆଲ୍ WhatsApp ନମ୍ବର +91 8796441800 ନିଜ ମୋବାଇଲ୍ରେ ସେଭ୍ କରିବାକୁ ପଡ଼ିବ। ତା’ପରେ WhatsApp ଖୋଲି ଏହି ନମ୍ବରକୁ “Hi” ଲେଖି ମେସେଜ୍ ପଠାଇବାକୁ ହେବ। ଏହାପରେ ଚାଟ୍ରେ ଆସୁଥିବା ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ ।
ଉପଲବ୍ଧ ବିକଳ୍ପ ମଧ୍ୟରୁ PF ବାଲାନ୍ସ ଦେଖିବା, ଶେଷ ୫ଟି ଟ୍ରାଞ୍ଜାକ୍ସନ୍ ଯାଞ୍ଚ କରିବା କିମ୍ବା ପାସବୁକ୍ ଡାଉନଲୋଡ୍ କରିବାର ବିକଳ୍ପ ଚୟନ କରିପାରିବେ । EPFO ପକ୍ଷରୁ ଜାରି କରାଯାଇଥିବା QR କୋଡ୍ ସ୍କାନ୍ କରି ମଧ୍ୟ ଏହି ସେବାକୁ ବ୍ୟବହାର କରାଯାଇପାରିବ ।
WhatsAppରେ ମିଳିବ ଏହି ୩ଟି ସୁବିଧା
ପ୍ରଥମତଃ, ସଦସ୍ୟମାନେ ସିଧାସଳଖ ନିଜ EPF ବାଲାନ୍ସ ଚେକ୍ କରିପାରିବେ। ଦ୍ୱିତୀୟତଃ, ନିଜ PF ଖାତାରେ ହୋଇଥିବା ଶେଷ ୫ଟି ଟ୍ରାଞ୍ଜାକ୍ସନ୍ ଦେଖିପାରିବେ । ଏହାଦ୍ୱାରା ସାମ୍ପ୍ରତିକ ଜମା କିମ୍ବା ଅନ୍ୟ କାରବାର ସହଜରେ ଯାଞ୍ଚ କରାଯାଇପାରିବ । ତୃତୀୟତଃ, WhatsApp ମାଧ୍ୟମରେ EPF ପାସବୁକ୍ ଡାଉନଲୋଡ୍ କରିହେବ। ପାସବୁକ୍ରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅଂଶଦାନ ସମେତ ଖାତା ସମ୍ପର୍କିତ ବିଭିନ୍ନ ଟ୍ରାଞ୍ଜାକ୍ସନ୍ର ବିବରଣୀ ରହିଥାଏ ।
ତେବେ ଗୋଟିଏ କଥା ମନେ ରଖିବା ଜରୁରୀ। WhatsAppରେ ସମସ୍ତ EPFO ସେବା ଏବେ ଉପଲବ୍ଧ ହୋଇନାହିଁ। PF କ୍ଲେମ୍ ସେଟଲମେଣ୍ଟ, ଟଙ୍କା ଉଠାଣ କିମ୍ବା ପ୍ରୋଫାଇଲ୍ ସଂଶୋଧନ ଭଳି ସେବା ପାଇଁ ଏବେ ମଧ୍ୟ EPFOର ଅଫିସିଆଲ୍ ପୋର୍ଟାଲ୍ କିମ୍ବା ନିର୍ଦ୍ଦିଷ୍ଟ ଡିଜିଟାଲ୍ ସେବାକୁ ବ୍ୟବହାର କରିବାକୁ ପଡ଼ିପାରେ ।
ସୁରକ୍ଷା ଦୃଷ୍ଟିରୁ EPFO ସଦସ୍ୟମାନେ କେବଳ ଅଫିସିଆଲ୍ WhatsApp ନମ୍ବରକୁ ହିଁ ବ୍ୟବହାର କରିବା ଉଚିତ୍। କୌଣସି ଅଜଣା ବ୍ୟକ୍ତିଙ୍କୁ EPF ଖାତା ସମ୍ବନ୍ଧୀୟ ପାସୱାର୍ଡ, OTP କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ଦେବା ଉଚିତ୍ ନୁହେଁ। ଏହି ନୂଆ WhatsApp ସେବା ଲକ୍ଷ ଲକ୍ଷ PF ସଦସ୍ୟଙ୍କ ପାଇଁ ଦୈନନ୍ଦିନ ଖାତା ଯାଞ୍ଚକୁ ଅଧିକ ସହଜ ଓ ଦ୍ରୁତ କରିବ ବୋଲି ଆଶା କରାଯାଉଛି ।

