ଶଯ୍ୟାଶାୟୀ ମା’, ଦିବ୍ୟାଙ୍ଗ ଝିଅର ବୋଝ ବୋହୁଛନ୍ତି ବାପା

ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର କର୍ଚ୍ଚବାଡ଼ି ଗାଁର ଦିବ୍ୟାଙ୍ଗ ଝିଅ ଲିସାଙ୍କ ଚିକିତ୍ସା ଓ ଦେଖାଶୁଣାର ଦାୟିତ୍ୱ ଏକାକୀ ତୁଲାଉଛନ୍ତି ବାପା ସୁବାଷ। ମା’ ମଧ୍ୟ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ।

ମୋହନା କର୍ଚ୍ଚବାଡ଼ି ଗାଁର କୁନି ଝିଅ ଲିସା। ଜନ୍ମରୁ ଦିବ୍ୟାଙ୍ଗ। ନା କଥା କହିପାରୁଛନ୍ତି, ନା ଚାଲିପାରୁଛନ୍ତି। ସେମିତି ବିଛଣାରେ ପଡ଼ିରହିଛନ୍ତି। ସେପଟେ ମା’ ବି ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ। ଅସହାୟ ପରିବାରର ସମସ୍ତ ବୋଝ ଏବେ ଏକାକୀ ବୋହୁଛନ୍ତି ବାପା ସୁବାଷ। ଝିଅକୁ ଖୁଆଇଦେବା, ପିଆଇଦେବା ସବୁ କିଛି କରୁଛନ୍ତି ।

ଝିଅର ଚିକିତ୍ସା ପାଇଁ କେତେ ଯେ ମେଡିକାଲ ଦୌଡ଼ିଛନ୍ତି, ତାର ହିସାବ ନାହିଁ। କିନ୍ତୁ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ମିଳିନି । ଏକ ଛୋଟିଆ ଚା’ ଦୋକାନରୁ ଯାହା କିଛି ରୋଜଗାର ହେଉଛି, ସେଥିରେ ଝିଅର ଚିକିତ୍ସା ଓ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇପଡ଼ିଛି। ଆର୍ଥିକ ଅନଟନ ଭିତରେ ଚାଲିଛି ଜୀବନ ସଂଘର୍ଷ, ଆଉ ଏହି ସଂଘର୍ଷ ମଧ୍ୟରେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ଲିସାଙ୍କ ପରିବାର।

ପରିବାରର କହିବା ଅନୁଯାୟୀ, ଜନ୍ମରୁ ଆଜି ପର୍ଯ୍ୟନ୍ତ ଲିସା ପାଣି ମଧ୍ୟ ପିଇପାରିନାହାନ୍ତି। ପାଣି ପିଇଲେ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ହେଉଥିବାରୁ ତାଙ୍କୁ ପାଣି ଦିଆଯାଇପାରୁନି। ପରିବାର ନିଜ ସାମର୍ଥ୍ୟ ଅନୁସାରେ ତାଙ୍କର ଯତ୍ନ ନେଉଛି । 

ହେଲେ ଉନ୍ନତ ଚିକିତ୍ସା ପାଇଁ ଲୋଡ଼ା ସରକାରୀ ସହାୟତା। ସରକାରଙ୍କ ପକ୍ଷରୁ ଲିସାଙ୍କୁ ମିଳୁଥିବା ୧୨ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତାରେ ଚିକିତ୍ସା ଓ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା କଷ୍ଟକର। ଲିସାଙ୍କୁ ୩୫ଶହ ଟଙ୍କା ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି।

ଅନ୍ୟପଟେ ସରକାରୀ ନିୟମ ଅନୁଯାୟୀ ଲିସାଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବାକୁ ପଦକ୍ଷେପ ନିଆଯିବ କହିଛନ୍ତି ମୋହନା ବିଡିଓ। କେବେ ଦୂର ହେବ ଏହି ଅସହାୟ ପରିବାରର ଦୁଃଖ? କେବେ ଲିସାଙ୍କୁ ମିଳିବ ଉନ୍ନତ ଚିକିତ୍ସା ଓ ପ୍ରକୃତ ସରକାରୀ ସହାୟତା? ତାକୁ ହିଁ ଅପେକ୍ଷା।

Leave a Reply

Your email address will not be published. Required fields are marked *