ଦକ୍ଷତା ବିକାଶ ତାଲିମ ଭେଳିକି: ତାଲିମ ଦେବାକୁ ସଂସ୍ଥା ଟଙ୍କା ନେଉଛନ୍ତି, ପିଲାଙ୍କୁ ନିଯୁକ୍ତି ମିଳୁନି

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍‌ଡିଏ) ପରିଚାଳନା କରୁଥିବା ନିଯୁକ୍ତି ଆଧାରିତ ତାଲିମର ବିଶେଷ ସୁଫଳ ମିଳୁନାହିଁ। ‌ତାଲିମ ଦେବାରେ ନିୟୋଜିତ ସଂସ୍ଥା ନିଜର ପ୍ରାପ୍ୟ ନେଉଛନ୍ତି, କିନ୍ତୁ ତାଲିମ ପାଉଥିବା ପ୍ରାର୍ଥୀମାନଙ୍କୁ ସହଜରେ ନିଯୁକ୍ତି ମିଳୁନାହିଁ। ଗତକାଲି ବିଧାନସଭାରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ତାଲିମ ଦିଆଯାଉଥିବା ପିଲାମାନଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ନିଯୁକ୍ତି ଦେବା ଲାଗି ନିୟମ ଥିବା‌ ବେଳେ ସେହି ଲକ୍ଷ୍ୟ ହାସଲ ହେଉନାହିଁ। ପ୍ରାର୍ଥୀମାନଙ୍କୁ ଚୟନ କରି ତାଲିମ ଦେବାକୁ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟିଂ ଏଜେନ୍ସି (ପିଆଇଏ) ନିଯୁକ୍ତ କରାଯାଉଛି। ୧୦ଟି ପିଆଇଏର ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକୁ ଅଡିଟ୍ କରିବା ବେଳେ ସିଏଜି ଜାଣିବାକୁ ପାଇଥିଲେ ଯେ ଏହି ସଂସ୍ଥାଗୁଡ଼ିକ ୧୮୧ଟି ବ୍ୟାଚ୍‌ରେ ୩୭୮୨ ପ୍ରାର୍ଥୀଙ୍କୁ ତାଲିମ ଦେଇଥିଲେ ଓ ସେ ବାବଦରେ ୬.୫୭ କୋଟି ଟଙ୍କା ନେଇଥିଲେ। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ କେବଳ ୨୪ ପ୍ରତିଶତ (୮୯୨ ଜଣ) ନିଯୁକ୍ତି ପାଇଥିଲେ। 

ତାଲିମ ଦେବାକୁ ସଂସ୍ଥା ଟଙ୍କା ନେଉଛନ୍ତି
ପିଲାଙ୍କୁ ନିଯୁକ୍ତି ମିଳୁନି
ଜର୍ଜ ଟେଲିଗ୍ରାଫ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ କାହାକୁ ନିଯୁକ୍ତି ଦେଇନଥିଲା

ଭୋପାଳର ଏଆଇଏସ୍‌ଇସିଟି ୧୯ଟି ବ୍ୟାଚ୍‌‌ରେ ୩୭୯ ପ୍ରାର୍ଥୀଙ୍କୁ ତାଲିମ ଦେଇ ୪୧.୮୫ ଲକ୍ଷ ଟଙ୍କା ନେଇଥିଲ‌ା। କିନ୍ତୁ ସେଥିରୁ ମାତ୍ର ୨୦ ଜଣ (୫ ପ୍ରତିଶତ) ପ୍ରାର୍ଥୀ ଚାକିରି ପାଇଥିଲେ। ବେଙ୍ଗ‌ାଲୁରୁର ସିଏସ୍ତା ହସ୍ପିଟାଲିଟି ସର୍ଭିସେସ୍‌ ଗୋଟିଏ ବ୍ୟାଚ୍‌ରେ ୩୦ ଜଣଙ୍କୁ ତାଲିମ ଦେଇ ୨.୯୯ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ସେହି ବ୍ୟାଚ୍‌ରୁ ମାତ୍ର ୫ ଜଣଙ୍କୁ ଚାକିରି ମିଳିଥିଲା। ଭୁବନେଶ୍ବରର ସିପେଟ୍‌ ୧୮ଟି ବ୍ୟାଚ୍‌ରେ ୩୮୧ ପିଲାଙ୍କୁ ତାଲିମ ଦେଇ ୭୭.୭୫ ଲକ୍ଷ ଟଙ୍କା ନେଇଛି। ଅବଶ୍ୟ ସେଥିରୁ ୨୫୨ ଜଣ ପିଲାଙ୍କୁ ନିଯୁକ୍ତି ମିଳିଛି। ନୂଆଦିଲ୍ଲୀର ଡାଲମିଆ ଫାଉଣ୍ଡେସନ ୯୯୫ ପିଲାଙ୍କୁ ତାଲିମ ଦେବା ପାଇଁ ୧୧୪ ଲକ୍ଷ ଟଙ୍କା ନେଇଥିବା ବେଳେ ସେଥିରୁ ମାତ୍ର ୨୫୨ ଜଣ ପିଲାଙ୍କୁ ଚାକିରି ମିଳିପାରିଛି। କୋଲକାତାର ଜର୍ଜ ଟେଲିଗ୍ରାଫ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ୨୫୭ ଜଣ ପିଲାଙ୍କୁ ତାଲିମ ଦେଇ ୪୪.୭୫ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ କୌଣସି ଜଣେ ବି ପିଲାଙ୍କୁ ଚାକିରି ମିଳିନଥିଲା। ଭୁବନେଶ୍ବରର ଏସ୍‌ଏସ୍‌ଇପିଏଲ୍‌ ସ୍କିଲ୍‌ ୨୨୯ ପିଲାଙ୍କୁ ତାଲିମ ଦେଇଥିବା ବେଳେ ସେଥିରୁ ୩୦ ଜଣ ପିଲା ହିଁ ଚାକିରି ପାଇଛନ୍ତି। କ୍ବିଭାନ୍‌ ସ୍କିଲ୍‌ ଏମ୍ପାୱାରମେଣ୍ଟ ୭୧୧ ପିଲାଙ୍କୁ ତାଲିମ ଦେଇଥିବା ବେଳେ ମାତ୍ର ୧୩୦ ପିଲାଙ୍କୁ ଚାକିରି ମିଳିଛି।

ବାଲେଶ୍ବରର ସିପେଟ୍ ତାଲିମ ଦେଇଥିବା ୨୮୫ ପିଲାଙ୍କ ମଧ୍ୟରୁ ୯୮ ଜଣ ନିଯୁକ୍ତି ପାଇଛନ୍ତି। ଆଇଏଲ୍‌ ଆଣ୍ଡ୍ ଏଫ୍‌ଏସ୍‌ ସ୍କିଲ ଡେଭେଲପମେଣ୍ଟ କର୍ପୋରେସନ ଓ ନେଚର ଟେକ୍ନିକାଲ ଟ୍ରେନିଂ ଫାଉଣ୍ଡେସନ ‌ମଧ୍ୟ ଯେତିକି ପିଲାଙ୍କୁ ତାଲିମ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାକିରି ପାଇନାହାନ୍ତି। ଅଡିଟ୍‌ରୁ ଆହୁରି ଜଣାପଡ଼ିଛି ଯେ ୧୦୯ଟି ବ୍ୟାଚ୍‌ର ୨୩୧୧ ପିଲାଙ୍କୁ ନିଯୁକ୍ତି ଦିଆଯାଇନଥିଲା। କିନ୍ତୁ ସେହି ବ୍ୟାଚ୍‌ଗୁଡ଼ିକ ଲାଗି ତାଲିମ ଦେଉଥିବା ସଂସ୍ଥାମାନେ ୩.୬୬ କୋଟି ଟଙ୍କା ନେଇଥିଲେ। ‌ସେହିପରି, ଅନ୍ୟ ୫୨ଟି ବ୍ୟାଚ୍‌ରେ ତାଲିମ ପାଇଥିବା ୧୦୮୯ ଜଣଙ୍କ ମଧ୍ୟରୁ ୫୭୫ ଜଣଙ୍କୁ ନିଯୁକ୍ତି ମିଳିଥିଲା। ପିଲାମାନଙ୍କ ତାଲିମରେ ଯେଉଁ ୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ତାହାର କୌଣସି ସୁଫଳ ମିଳିନଥିବା ସିଏଜି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *