“ଅମ୍ବାନୀ କ’ଣ ଭାରତର ପ୍ରକୃତ ବସ୍?” ମସ୍କଙ୍କ ପ୍ରଶ୍ନରେ ତେଜିଲା ଷ୍ଟାରଲିଙ୍କ ବିବାଦ

ଡାକ୍ତର ଅନିରୁଦ୍ଧ ନାମକ ଜଣେ ବ୍ୟକ୍ତି ଏକ୍ସରେ ପ୍ରଶ୍ନ କରିଥିଲେ ଯେ, ସରକାର ଭାରତୀୟ ନାଗରିକଙ୍କ ସ୍ୱାର୍ଥକୁ ଛାଡ଼ି ପ୍ରଭାବଶାଳୀ ବ୍ୟବସାୟିକ ଗୋଷ୍ଠୀଙ୍କୁ ସୁରକ୍ଷା ଦେଉଛି କି?

 ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଭାରତରେ ଷ୍ଟାରଲିଙ୍କର ଉପଗ୍ରହ ଇଣ୍ଟରନେଟ ସେବା ଆରମ୍ଭକୁ ନେଇ ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛନ୍ତି । ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ରେ ଏକ ପୋଷ୍ଟର ଉତ୍ତର ଦେଇ ମସ୍କ ସିଧାସଳଖ ପ୍ରଶ୍ନ କରିଛନ୍ତି, “ଅମ୍ବାନୀ କ’ଣ ଭାରତର ପ୍ରକୃତ ମାଲିକ ?”

ଡାକ୍ତର ଅନିରୁଦ୍ଧ ନାମକ ଜଣେ ବ୍ୟକ୍ତି ଏକ୍ସରେ ପ୍ରଶ୍ନ କରିଥିଲେ ଯେ, ସରକାର ଭାରତୀୟ ନାଗରିକଙ୍କ ସ୍ୱାର୍ଥକୁ ଛାଡ଼ି ପ୍ରଭାବଶାଳୀ ବ୍ୟବସାୟିକ ଗୋଷ୍ଠୀଙ୍କୁ ସୁରକ୍ଷା ଦେଉଛି କି ? ଏହି ପୋଷ୍ଟକୁ ଉଦ୍ଧୃତ କରି ମସ୍କ କହିଛନ୍ତି ଯେ, ଷ୍ଟାରଲିଙ୍କୁ ୧୬୫ରୁ ଅଧିକ ଦେଶରେ ସେବା ପାଇଁ ଅନୁମତି ମିଳିଛି । ଗତ ପାଞ୍ଚ ବର୍ଷ ଧରି ଭାରତର ସମସ୍ତ ଆଇନ ଓ ନିୟମ ପାଳନ କରିବାକୁ ଚେଷ୍ଟା କରିବା ପରେ ମଧ୍ୟ ଭାରତରେ ଅନୁମତି କାହିଁକି ମିଳୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ପୂର୍ବରୁ ମସ୍କ ନାଁ ନନେଇ କିଛି ପ୍ରଭାବଶାଳୀ ବ୍ୟବସାୟୀ ନିଜର ଏକଚାଟିଆ ବଜାରକୁ ସୁରକ୍ଷା ଦେବା ପାଇଁ ଷ୍ଟାରଲିଙ୍କର ଭାରତ ପ୍ରବେଶକୁ ରୋକୁଥିବା ଅଭିଯୋଗ କରିଥିଲେ । ଏବେ ମୁକେଶ ଅମ୍ବାନୀଙ୍କ ନାଁ ନେଇ ତାଙ୍କର ନୂଆ ପ୍ରଶ୍ନ ପରେ ବିବାଦ ଆହୁରି ଚର୍ଚ୍ଚାରେ ଆସିଛି । ମସ୍କଙ୍କ ଯୁକ୍ତି ହେଉଛି, ଦେଶର ଦୁର୍ଗମ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳ ଏବଂ ଯେଉଁଠାରେ ମୋବାଇଲ ଟାୱାର କିମ୍ବା ଫାଇବର ନେଟୱର୍କ ପହଞ୍ଚାଇବା କଷ୍ଟକର, ସେଠାରେ ଷ୍ଟାରଲିଙ୍କ ଭଳି ଉପଗ୍ରହ ଇଣ୍ଟରନେଟ ସେବା ଉପଯୋଗୀ ହୋଇପାରେ । ତେଣୁ ସେ ଏହାକୁ କେବଳ ବ୍ୟବସାୟିକ ପ୍ରସଙ୍ଗ ନୁହେଁ, ଲୋକଙ୍କ ଇଣ୍ଟରନେଟ ସୁବିଧା ସହ ମଧ୍ୟ ଯୋଡ଼ିଛନ୍ତି ।

ତେବେ ମସ୍କଙ୍କ ଅଭିଯୋଗକୁ ଭାରତ ସରକାର ଖାରଜ କରିଛନ୍ତି । ଅକ୍ଟୋବର ୮ରେ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ଉପଗ୍ରହ ଯୋଗାଯୋଗ ନିୟମ ସମସ୍ତ କମ୍ପାନୀ ପାଇଁ ସମାନ ଏବଂ ନିରପେକ୍ଷ। ଏହି କ୍ଷେତ୍ରରେ ତିନୋଟି କମ୍ପାନୀକୁ ଅନୁମତି ମିଳିଥିବାବେଳେ ସମସ୍ତଙ୍କୁ ସୁରକ୍ଷା ସମ୍ବନ୍ଧୀୟ ନିୟମ ପୂରଣ କରିବାକୁ ପଡ଼ୁଛି ।

ସରକାରଙ୍କ ଅନୁସାରେ, ତିନୋଟି କମ୍ପାନୀର ସୁରକ୍ଷା ମୂଲ୍ୟାଙ୍କନ ପ୍ରକ୍ରିୟା ଚାଲିଛି ଏବଂ ସେମାନେ ପ୍ରାୟ ସମାନ ନିୟାମକ ପର୍ଯ୍ୟାୟରେ ଅଛନ୍ତି । ସୁରକ୍ଷା ପ୍ରକ୍ରିୟା ଶେଷ ହେବା ପରେ ହିଁ ପରବର୍ତ୍ତୀ ପଦକ୍ଷେପରେ ତରଙ୍ଗଦୈର୍ଘ୍ୟ ବଣ୍ଟନ କରାଯିବ । ତେଣୁ କୌଣସି କମ୍ପାନୀ ପ୍ରତି ଭେଦଭାବ କରାଯାଉଥିବା ଅଭିଯୋଗକୁ ସରକାର ଭିତ୍ତିହୀନ ବୋଲି କହିଛନ୍ତି । ଏହା ମଧ୍ୟରେ ମସ୍କଙ୍କ ପ୍ରଶ୍ନ ଭାରତର ଉପଗ୍ରହ ଇଣ୍ଟରନେଟ ବଜାରକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *