ହଠାତ ପଡ଼ିଲା କାମ, ବଦଳାଇବାକୁ ଚାହାନ୍ତି ଟ୍ରେନ୍‌ ଟିକେଟରେ ପାସେଞ୍ଜରଙ୍କ ନାମ? ଜାଣନ୍ତୁ ରେଳବାଇର ନିୟମ…

ଅନେକ ସମୟରେ ଆମେ ଟ୍ରେନ ଟିକେଟ ବୁକ କରିଥାଉ କିନ୍ତୁ ହଠାତ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ଏପରି ସମୟରେ ଟିକେଟ ବାତିଲ କରିବା ବଦଳରେ ଯଦି ଆପଣ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଯାତ୍ରା କରାଇବାକୁ ଚାହାନ୍ତି, ତେବେ ଭାରତୀୟ ରେଳବାଇ (IRCTC)ର ଏକ ସ୍ବତନ୍ତ୍ର ସୁବିଧା ଆପଣଙ୍କ କାମରେ ଆସିପାରେ। ଏହି ସୁବିଧା ଅନୁଯାୟୀ, ଯାତ୍ରୀ ନିଜର କନଫର୍ମ ଟିକେଟରେ ନାମ ବଦଳାଇ ଅନ୍ୟ ଜଣେଙ୍କୁ ଯାତ୍ରା କରିବାର ସୁଯୋଗ ଦେଇପାରିବେ।

କେଉଁ ଟିକେଟରେ ମିଳିବ ଏହି ସୁବିଧା?
ଏହି ସୁବିଧା କେବଳ କନଫର୍ମ ଟିକେଟ ପାଇଁ ଉପଲବ୍ଧ। ୱେଟିଂ ଲିଷ୍ଟ (WL) କିମ୍ବା RAC ଟିକେଟରେ ନାମ ବଦଳାଇବାର ଅନୁମତି ନାହିଁ। ଏହାସହ, ଟିକେଟ କେବଳ ନିକଟତମ ସମ୍ପର୍କୀୟ ଯଥା ମାତା-ପିତା, ସ୍ବାମୀ-ସ୍ତ୍ରୀ, ଭାଇ-ଭଉଣୀ କିମ୍ବା ପଅ-ଝିଅଙ୍କ ନାମରେ ହିଁ ହସ୍ତାନ୍ତର କରାଯାଇପାରିବ। ଏହା ବ୍ୟତୀତ ଏହି ପ୍ରକ୍ରିୟା ଟ୍ରେନ ଛାଡ଼ିବାର ଅତି କମରେ ୨୪ ଘଣ୍ଟା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ହେବ। ଗୋଟିଏ ଟିକେଟରେ କେବଳ ଗୋଟିଏ ଥର ନାମ ବଦଳାଯାଇପାରିବ।

ରେଳବାଇର ନିୟମ କ’ଣ?
ବର୍ତ୍ତମାନ ନାମ ବଦଳାଇବାର ଏହି ସୁବିଧା ଅନଲାଇନରେ ଉପଲବ୍ଧ ନାହିଁ। ଏଥିପାଇଁ ଯାତ୍ରୀଙ୍କୁ ରେଳବାଇର ରିଜର୍ଭେସନ କାଉଣ୍ଟରକୁ ଯିବାକୁ ହେବ। ପ୍ରଥମେ ଅନଲାଇନ୍‌ରେ ବୁକ କରାଯାଇଥିବା ଟିକେଟର ପ୍ରିଣ୍ଟଆଉଟ୍‌ ନେଇ କାଉଣ୍ଟରରେ ପହଞ୍ଚନ୍ତୁ। ସେଠାରେ ଆପଣଙ୍କୁ ନାମ ବଦଳାଇବାର ଫର୍ମ ମିଳିବ, ଯେଉଁଥିରେ ଟିକେଟର ତଥ୍ୟ ଓ ନୂଆ ଯାତ୍ରୀଙ୍କ ବିବରଣୀ ପୂରଣ କରିବାକୁ ହେବ। ଏହାସହ ମୂଳ ଯାତ୍ରୀ ଓ ନୂଆ ଯାତ୍ରୀଙ୍କର ପରିଚୟ ପତ୍ର ଯଥା ଆଧାର କାର୍ଡ, ପ୍ୟାନ କାର୍ଡ କିମ୍ବା ଭୋଟର ଆଇଡି ଜମା କରିବାକୁ ହେବ। ସମସ୍ତ ଦଲିଲ ଜମା କରିବା ପରେ ରେଳବାଇ କର୍ମଚାରୀ ଆପଣଙ୍କ ଟିକେଟରେ ନୂଆ ନାମ ଅପଡେଟ କରିଦେବେ ଏବଂ ଆପଣଙ୍କୁ ଏକ ରସିଦ କିମ୍ବା ନୂଆ ଟିକେଟ ମିଳିବ। ଯାତ୍ରା ସମୟରେ ଏହା ଟିକେଟ ଚେକରଙ୍କୁ ଦେଖାଇବା ଆବଶ୍ୟକ।

କାହିଁକି ଜରୁରୀ ଏହି ସୁବିଧା?
ଏହି ସୁବିଧା ବିଶେଷଭାବେ ସେହି ସମୟରେ ଉପଯୋଗୀ ଯେତେବେଳେ ଯାତ୍ରା ହଠାତ ବାତିଲ କରିବାକୁ ପଡ଼େ ଏବଂ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ପଠାଇବାର ଆବଶ୍ୟକତା ହୁଏ। ଏହା ଦ୍ୱାରା ଟିକେଟ ବାତିଲ କରିବାକୁ ପଡ଼ି ନ ଥାଏ ଏବଂ ଟଙ୍କା ମଧ୍ୟ ବଞ୍ଚିଥାଏ। ତେବେ, ନିଶ୍ଚିତ କରନ୍ତୁ ଯେ ଆପଣ ସମୟଥାଉ କାଉଣ୍ଟରରେ ପହଞ୍ଚି ସମସ୍ତ କାଗଜପତ୍ର ପୂରଣ ରଖନ୍ତି, ଯାହା ଦ୍ୱାରା ନାମ ବଦଳାଇବାର ପ୍ରକ୍ରିୟା ସହଜରେ ସମ୍ପୂର୍ଣ୍ଣ ହୋଇପାରିବ।

Leave a Reply

Your email address will not be published. Required fields are marked *