ଗୋଟିଏ ପଟେ ନିଜ ଜୀବନ ପାଇଁ ସଂଘର୍ଷ, ଅନ୍ୟପଟେ ବିମାନରେ ଥିବା ଶହ ଶହ ଯାତ୍ରୀଙ୍କ ଜୀବନ । ଏଭଳି ଏକ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ନିଜକୁ ସମ୍ଭାଳି ବିମାନର କକପିଟ୍ କବାଟ ଖୋଲି ଯାତ୍ରୀମାନଙ୍କୁ ଭିତରକୁ ଆସିବାର ସୁଯୋଗ ଦେଇଥିଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ।
ତଳକୁ ଖସୁଥିଲା ବିମାନ । ଗୋଟିଏ ପଟେ ନିଜ ଜୀବନ ପାଇଁ ସଂଘର୍ଷ, ଅନ୍ୟପଟେ ବିମାନରେ ଥିବା ଶହ ଶହ ଯାତ୍ରୀଙ୍କ ଜୀବନ । ଏଭଳି ଏକ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ନିଜକୁ ସମ୍ଭାଳି ବିମାନର କକପିଟ୍ କବାଟ ଖୋଲି ଯାତ୍ରୀମାନଙ୍କୁ ଭିତରକୁ ଆସିବାର ସୁଯୋଗ ଦେଇଥିଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ହସ୍ପିଟାଲ ବେଡ୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କଲ୍ରେ କଥା ହୋଇ ସେ ବଖାଣିଛନ୍ତି ସେହି ଘଟଣାର ଅନୁଭୂତି ।
ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ହଠାତ୍ ସଙ୍କଟ ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁସାରେ, ଓମାନୀ କୋ-ପାଇଲଟ୍ କ୍ୟାପ୍ଟେନ୍ ସ୍ମିତଙ୍କୁ ଆକ୍ରମଣ କରିବା ପରେ ବିମାନଟି ତୀବ୍ର ଭାବେ ତଳକୁ ଖସିଥିଲା । ପ୍ରାୟ ୩୦ ସେକେଣ୍ଡରେ ବିମାନଟି ପ୍ରାୟ ୧୪ ହଜାର ଫୁଟ୍ ତଳକୁ ଖସିଥିବା ରିପୋର୍ଟ ହୋଇଛି। ବିମାନରେ ୧୭୪ ଜଣ ଥିଲେ ।
ଆହତ ହୋଇ ତଳେ ପଡ଼ିଯାଇଥିଲେ ସ୍ମିତ । କିନ୍ତୁ ବିମାନର ସ୍ଥିତି ବିପଜ୍ଜନକ ହେଉଥିବା ଅନୁଭବ କରି ସେ ପୁଣି ଉଠିବାକୁ ଚେଷ୍ଟା କରିଥିଲେ । ତାଙ୍କ କହିବା ଅନୁସାରେ, ସେହି ସମୟରେ ତାଙ୍କ ମନରେ ଥିଲା—ଯଦି ସେ ଉଠିପାରିବେ ନାହିଁ, ତେବେ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିବ । ଶେଷରେ ସେ କକପିଟ୍ କବାଟ ଖୋଲିବାରେ ସଫଳ ହୋଇଥିଲେ ।
କକପିଟ୍ କବାଟ ଖୋଲିବା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଭିତରକୁ ପହଞ୍ଚି ଆକ୍ରମଣକାରୀ କୋ-ପାଇଲଟ୍ଙ୍କୁ କାବୁ କରିଥିଲେ । ପରେ ବିମାନରେ ଥିବା ଅନ୍ୟ ପାଇଲଟ୍ମାନେ ନିୟନ୍ତ୍ରଣ ନେଇ ବିମାନଟିକୁ ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଇଥିଲେ । ଏହି ସମୟରେ ନିଜକୁ ମାନସିକ ଭାବେ ସ୍ଥିର ରଖିବା ପାଇଁ ସେ ହନୁମାନ ଚାଳିଶା ପାଠ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ସ୍ମିତଙ୍କ କହିବା ଅନୁସାରେ, କଷ୍ଟ ସମୟରେ ସେ ହନୁମାନ ଚାଳିଶା ପାଠ କରନ୍ତି ଏବଂ ସେହି ମୁହୂର୍ତ୍ତରେ ମଧ୍ୟ ଏହା କରୁଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ କ୍ୟାପ୍ଟେନ୍ ସ୍ମିତଙ୍କ ସାହସ, ଉପସ୍ଥିତ ବୁଦ୍ଧି ଓ ସଂଯମର ପ୍ରଶଂସା କରିଥିଲେ । ଅନ୍ୟପଟେ ସ୍ମିତ ମଧ୍ୟ ଭାବବିହ୍ୱଳ ହୋଇ ଏହି ଘଟଣାର ଅନୁଭୂତି ବଖାଣିଥିଲେ । ନିଜ ଜୀବନ ବଞ୍ଚାଇବା ସହ ବିମାନରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବାର ଚିନ୍ତା ତାଙ୍କୁ ସେହି ସମୟରେ ପୁଣି ଉଠିବାକୁ ପ୍ରେରଣା ଦେଇଥିବା ସେ କହିଛନ୍ତି । ଆହତ ଅବସ୍ଥାରେ କକପିଟ୍ କବାଟ ଖୋଲିବାର ସେହି ଶେଷ ଚେଷ୍ଟା ଏବଂ ଯାତ୍ରୀମାନଙ୍କ ସହଯୋଗ ଏକ ବଡ଼ ବିପଦକୁ ଏଡ଼ାଇବାରେ ସହାୟକ ହୋଇଥିଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଅନୁଭୂତି ଏବେ ଚର୍ଚ୍ଚାରେ ।

