SIR ପ୍ରକ୍ରିୟାକୁ ନେଇ ଦେଶରେ ବିବାଦ ଜାରି। ଅକ୍ଟୋବର ୨ରୁ ୮ ଯାଏଁ INDIA ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ପଦଯାତ୍ରା ଓ ବିକ୍ଷୋଭ। ଦିଲ୍ଲୀର ଜନ୍ତର ମନ୍ତରରେ AAP ନେତା ସୌରଭ ଭରଦ୍ୱାଜଙ୍କ ସମେତ ଅନେକଙ୍କୁ ପୁଲିସ୍ ଅଟକ ରଖିଥିବା ବେଳେ ଅକ୍ଟୋବର ୬ରେ ବିରୋଧୀ ସାଂସଦମାନଙ୍କ ନିର୍ବାଚନ କମିସନ୍ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା ରହିଛି।
ଭୋଟର ତାଲିକାର ବିଶେଷ ନିବିଡ଼ ସଂଶୋଧନ ବା ଏସ୍ଆଇଆର୍ (SIR) ପ୍ରକ୍ରିୟାକୁ ନେଇ ଦେଶର ରାଜନୀତିରେ ବିବାଦ ଜାରି ରହିଛି। ଏହି ପ୍ରସଙ୍ଗରେ ଆଜିଠାରୁ ରାଜରାସ୍ତାକୁ ଓହ୍ଲାଇଛି ବିରୋଧୀ INDIA ମେଣ୍ଟ । ଅକ୍ଟୋବର ୨ରୁ ୮ ତାରିଖ ଯାଏଁ ଦେଶର ବିଭିନ୍ନ ଜିଲ୍ଲାରେ ‘ଗଣତନ୍ତ୍ର ବଞ୍ଚାଅ’ ପଦଯାତ୍ରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବାକୁ ମେଣ୍ଟ ପକ୍ଷରୁ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହି କ୍ରମରେ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ଆଜି ବିରୋଧ ପ୍ରଦର୍ଶନ ହୋଇଛି। ନିର୍ବାଚନ କମିସନ୍ଙ୍କ କାର୍ଯ୍ୟପ୍ରଣାଳୀ ଓ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ବିଭିନ୍ନ ଦଳ ଓ ସାମାଜିକ ସଂଗଠନ ପ୍ରଶ୍ନ ଉଠାଇଛନ୍ତି।
ଦିଲ୍ଲୀ ପୁଲିସ୍ ପକ୍ଷରୁ ପ୍ରସ୍ତାବିତ ସମାବେଶ ପାଇଁ ଅନୁମତି ଦିଆଯାଇନଥିବା ବେଳେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପ୍ରତିବାଦ ସମୟରେ ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ମୁଖ୍ୟ ସୌରଭ ଭରଦ୍ୱାଜଙ୍କ ସମେତ ଅନେକ ଦଳୀୟ କର୍ମୀ ଓ ପ୍ରଦର୍ଶନକାରୀଙ୍କୁ ପୁଲିସ୍ ଅଟକ ରଖିଛି। ଏହାକୁ ନେଇ ଜନ୍ତର ମନ୍ତର ଅଞ୍ଚଳରେ ଉତ୍ତେଜନା ବଢ଼ିଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି। INDIA ମେଣ୍ଟ ପକ୍ଷରୁ ଅକ୍ଟୋବର ୬ ତାରିଖରେ ନୂଆଦିଲ୍ଲୀରେ ସମସ୍ତ ବିରୋଧୀ ଦଳର ସାଂସଦମାନେ ଏକାଠି ହୋଇ ନିର୍ବାଚନ କମିସନ୍ଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ଦେଶର ବିଭିନ୍ନ ସ୍ଥାନରେ ବଡ଼ ଜନସଭା ଓ ଅନ୍ୟାନ୍ୟ ପ୍ରତିବାଦ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଯୋଜନା ରହିଛି। ଅନ୍ୟପଟେ ମୁମ୍ବାଇରେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ମଧ୍ୟ ଆଜି ‘ଜେଲ୍ ଭରୋ ଆନ୍ଦୋଳନ’ ଘୋଷଣା କରାଯାଇଛି। ଦଳର ପ୍ରତିଷ୍ଠାତା ଅଭିଜିତ ଦିପକେ ଅକ୍ଟୋବର ୨ରେ ଶିବାଜୀ ପାର୍କରେ ଏହି ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ପାଇଁ ମୁମ୍ବାଇ ପୁଲିସ୍ ଅନୁମତି ଦେଇନଥିବା ରିପୋର୍ଟ ଆସିଛି । କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନର୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ଦାବି ଉଠାଯାଇଛି।
ଏହି ଦାବିଗୁଡ଼ିକ ନେଇ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରଖିବାକୁ କୁହାଯାଇଛି। ଏସ୍ଆଇଆର୍କୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିବା ବେଳେ ନିର୍ବାଚନ କମିସନ୍ ପକ୍ଷରୁ ଏହି ପ୍ରକ୍ରିୟା ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକ କମିସନ୍ର ଅନୁମୋଦନ ସହ ନିଆଯାଇଥିବା ଦାବି କରାଯାଇଛି। ତେଣୁ ଏସ୍ଆଇଆର୍କୁ ନେଇ ରାଜନୈତିକ ଓ ଆଇନଗତ ବିବାଦ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଆହୁରି ଆନ୍ଦୋଳନ ତୀବ୍ର ହେବାର ସମ୍ଭାବନା ରହିଛି ।

