ଗାନ୍ଧୀ ଜୟନ୍ତୀରୁ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଏହାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଶାସନ, ପାଠ୍ୟପୁସ୍ତକ, ଚାଷୀ, ପେନ୍ସନ୍, ଆଇନଶୃଙ୍ଖଳା, ଖଣି ନୀତି, ରାଜସ୍ୱ ଓ ଋଣଭାର ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ବାର୍ଷିକ ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ନଭେମ୍ବର ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହା ଚାଲିବ । ଦଳୀୟ ନେତା ଓ କର୍ମୀମାନେ ଗାଁ, ୱାର୍ଡ, ବ୍ଲକ୍ ଓ ସଂଗଠନାତ୍ମକ ଜିଲ୍ଲାସ୍ତରରେ ଲୋକଙ୍କ ନିକଟକୁ ଯାଇ ଜନସମ୍ପର୍କ କରିବେ। ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ରାଜ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ।
ତାଙ୍କ ମତରେ, ବିଜୁ ଜନତା ଦଳ ନିଜର କାର୍ଯ୍ୟ ଓ ଲୋକଙ୍କ ପାଇଁ କରିଥିବା କାମ ଯୋଗୁଁ ସବୁବେଳେ ଲୋକଙ୍କ ହୃଦୟରେ ରହିଛି ଏବଂ ଆଗକୁ ମଧ୍ୟ ରହିବ। ରାଜ୍ୟର ବର୍ତ୍ତମାନ ପରିସ୍ଥିତିକୁ ନେଇ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପିଲାଙ୍କ ପାଠପଢ଼ା ପାଇଁ ପାଠ୍ୟପୁସ୍ତକ ନଥିବା, ବୟସ୍କଙ୍କ ପେନ୍ସନ୍ ସମସ୍ୟା, ଚାଷୀ ଓ ମହିଳାଙ୍କ ସମସ୍ୟା ସହ ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଥିଲେ।
ଏହି ସବୁ ପ୍ରସଙ୍ଗରେ ସରକାରଙ୍କ ଭୂମିକାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟର ପରିଚାଳନାକୁ ନେଇ ମଧ୍ୟ ନବୀନ ପଟ୍ଟନାୟକ ଅଭିଯୋଗ ଆଣିଥିଲେ। ରଥଯାତ୍ରା ପରିଚାଳନା, ବନ୍ୟା ରିଲିଫ୍, ଧାନ ସଂଗ୍ରହ, ନିଯୁକ୍ତି ପରୀକ୍ଷା ଏବଂ ଅର୍ଥ ବ୍ୟବସ୍ଥା ଭଳି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପରିଚାଳନାକୁ ସେ ପ୍ରଶ୍ନ କରିଥିଲେ। ଏହି ସବୁ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ବିଜେଡି ସଭାପତି ଅଭିଯୋଗ କରିଥିଲେ।
ଖଣି ନୀତି ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଓ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଥିଲେ। ଖଣି ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ବିଜେଡିର ଅଭିଯୋଗକୁ ସେ ପୁଣିଥରେ ଦୋହରାଇଥିଲେ। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ନିରବ ଥିବା ଏବଂ ରାଜ୍ୟର ୨୦ ଜଣ ବିଜେପି ସାଂସଦ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ଆବଶ୍ୟକ ସ୍ୱର ଉଠାଉନଥିବା ସେ ଅଭିଯୋଗ କରିଥିଲେ।
ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପ୍ରସଙ୍ଗରେ ମଧ୍ୟ ସେ ସରକାରଙ୍କୁ ସମାଲୋଚନା କରିଥିଲେ। ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଥିବା ଅଭିଯୋଗ କରି ଏଥିପାଇଁ ସରକାର ଉତ୍ତରଦାୟିତ୍ୱ ନେଉନଥିବା ସେ କହିଥିଲେ। ରାଜ୍ୟର ରାଜସ୍ୱ ଓ ଋଣଭାରକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଥିଲେ। ରାଜସ୍ୱ ସଂଗ୍ରହ କମୁଥିବା, ବଜେଟ୍ରେ ବ୍ୟୟବରାଦ ହୋଇଥିବା ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରୁନଥିବା ଏବଂ ଏହା ସତ୍ତ୍ୱେ ରାଜ୍ୟର ଋଣଭାର ବଢ଼ିଚାଲିଥିବା ସେ ଦାବି କରିଥିଲେ। ଟଙ୍କା ଯାଉଛି କୁଆଡ଼େ? ବୋଲି ସେ ପ୍ରଶ୍ନ କରିଥିଲେ।
ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ି ଆସିଛି ଏବଂ ଆଗାମୀ ଦିନରେ ଏହି ଲଢ଼େଇକୁ ଆହୁରି ଜୋରଦାର କରିବାକୁ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ମନ୍ମଥ ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।

