ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ହେବ ବନ୍ଦର । ସାଟେଲାଇଟ୍ ମେଜର ପୋର୍ଟ ପାଇଁ ମିଳିଲା ନୀତିଗତ ଅନୁମୋଦନ । ୫ ହଜାର ୫ ଏକରରୁ ଅଧିକ ଲୁଣିଆ ଜମିରେ ବନ୍ଦର ବିକାଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର ।
ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ହେବ ବନ୍ଦର । ସାଟେଲାଇଟ୍ ମେଜର ପୋର୍ଟ ପାଇଁ ମିଳିଲା ନୀତିଗତ ଅନୁମୋଦନ । ୫ ହଜାର ୫ ଏକରରୁ ଅଧିକ ଲୁଣିଆ ଜମିରେ ବନ୍ଦର ବିକାଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ଚିଠିରେ ଏହି ଅନୁମୋଦନ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଚିଠିଟି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ପଠାଯାଇଛି ।
ବିଭାଗର ଚିଠି ଅନୁଯାୟୀ, ବାହୁଦା ମୁହାଣରେ ପ୍ରସ୍ତାବିତ ସାଟେଲାଇଟ୍ ମେଜର ପୋର୍ଟ ବିକାଶ ପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ ଦେଇଛନ୍ତି । ଏଥିସହ ପ୍ରକଳ୍ପର ବିକାଶ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ ବା ଏସ୍ପିଭି ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ଅନୁମୋଦନ ଦିଆଯାଇଛି। ବାହୁଦା ମୁହାଣରେ ମେଜର ପୋର୍ଟ ପ୍ରକଳ୍ପର ପ୍ରସ୍ତାବ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି । ଏବେ ରାଜ୍ୟ ସରକାରଙ୍କ ନୀତିଗତ ଅନୁମୋଦନ ପରେ ପ୍ରକଳ୍ପର ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବାର ପଥ ପରିଷ୍କାର ହୋଇଛି ।

