ପୁରୀ ଜିଲାର ମା’ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ରାଜଧାନୀଠାରୁ ୫୦ କିଲୋମିଟର ଦୂରରେ ଏଭଳି ଅପରାଧ ଓଡ଼ିଶାର ଭାଜପା ସରକାରଙ୍କ ବିଫଳତାକୁ ଦର୍ଶାଉଛି।
ନବୀନ କହିଛନ୍ତି, ଭାଜପା ନେତାମାନେ ନାଟକୀୟ ଚିନ୍ତା ପ୍ରକାଶ କରୁଥିବା ବେଳେ ଅପରାଧୀମାନେ ଦିବାଲୋକରେ ମୁକ୍ତ ଭାବେ ଘୁରୁଛନ୍ତି। ଗୋପାଳପୁର, ବାଲେଶ୍ୱର, ବଳଙ୍ଗା ପରି ଅନେକ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ମିଳିନାହିଁ। ସେ ଅଭିଯୋଗ କରିଛନ୍ତି, ଭାଜପା ସରକାର ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣରେ ବିଫଳ ହୋଇଛନ୍ତି, ଯାହା ଓଡ଼ିଶାର ଆନ୍ତର୍ଜାତୀୟ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇପାରେ।
ଶୁକ୍ରବାର ବ୍ରହ୍ମଗିରିରେ ଜଣେ ଯୁବତୀ ମନ୍ଦିର ଦର୍ଶନ ବେଳେ ଗଣବଳାତ୍କାର ଶିକାର ହୋଇଥିଲେ। ପୋଲିସ ଅଭିଯୋଗ ପରେ ଚାନ୍ଦିପୁର ଗାଁର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇଛି। ତଦନ୍ତ ଜାରି ରହିଛି।
