ଯେରୁଶାଲେମ ଜିଲ୍ଲା ଅଦାଲତ ଏବେ ଏହି ୪ ଅଭିଯୁକ୍ତଙ୍କୁ ସେମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କାହାକୁ ସିଧାସଳଖ ହତ୍ୟା ଯୋଜନା କରିବା ଅଭିଯୋଗରେ ଦୋଷୀ କରାଯାଇନାହିଁ ।
ଇସ୍ରାଏଲର ଜଣେ ପରମାଣୁ ବୈଜ୍ଞାନିକ ଓ ତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ହୋଇଥିବା ଏକ ବଡ଼ ଷଡ଼ଯନ୍ତ୍ରକୁ ସୁରକ୍ଷା ଏଜେନ୍ସି ବିଫଳ କରିଛି । ଏହି ମାମଲାରେ ଇସ୍ରାଏଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଯେରୁଶାଲେମ ଜିଲ୍ଲା ଅଦାଲତ ଏବେ ଏହି ୪ ଅଭିଯୁକ୍ତଙ୍କୁ ସେମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କାହାକୁ ସିଧାସଳଖ ହତ୍ୟା ଯୋଜନା କରିବା ଅଭିଯୋଗରେ ଦୋଷୀ କରାଯାଇନାହିଁ ।
ଇସ୍ରାଏଲର ରାଜ୍ୟ ଆଟର୍ଣ୍ଣି କାର୍ଯ୍ୟାଳୟ ଅନୁସାରେ, ମାମଲାରେ ଯେରୁଶାଲେମର ବେତ ସାଫାଫା ଅଞ୍ଚଳର ୪ ଜଣ ବାସିନ୍ଦା ଇରାନ୍ର ନିର୍ଦ୍ଦେଶରେ ଜଣେ ଇସ୍ରାଏଲୀ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ କରିବା ସମ୍ପର୍କିତ ଷଡ଼ଯନ୍ତ୍ରରେ ଜଡ଼ିତ ଥିଲେ । ଅଭିଯୁକ୍ତମାନେ ଏକ ଚୁକ୍ତି ଅନୁଯାୟୀ ନିଜ ଭୂମିକା ସହ ଜଡ଼ିତ ଅପରାଧ ସ୍ୱୀକାର କରିଛନ୍ତି ।
ଅଭିଯୋଗ ଅନୁସାରେ, ୨୦୨୪ ସେପ୍ଟେମ୍ବରରେ ଇରାନ୍ ପାଇଁ କାମ କରୁଥିବା ଜଣେ ବ୍ୟକ୍ତି ରାମି ଅଲିଆନ୍ଙ୍କ ସହ ଯୋଗାଯୋଗ କରିଥିଲେ। ନିର୍ଦ୍ଦିଷ୍ଟ କାମ ବଦଳରେ ତାଙ୍କୁ ବଡ଼ ଧରଣର ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ପରେ ବୈଜ୍ଞାନିକ ଓ ତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ଏକ ଗ୍ୟାଙ୍ଗ ଗଠନ କରିବାକୁ କୁହାଯାଇଥିବା ଅଭିଯୋଗ ରହିଛି ।
ଏହାପରେ ଦୁଇ ଅଭିଯୁକ୍ତ ରେହୋଭୋଟ୍ସ୍ଥିତ ୱାଇଜମାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସକୁ ଯାଇଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ପରେ ସେମାନେ ଗେଟ୍ର ଫଟୋ ଉଠାଇ ଇରାନୀ ହ୍ୟାଣ୍ଡଲରଙ୍କ ପାଖକୁ ପଠାଇଥିବା ଅଭିଯୋଗ ହୋଇଛି। ଯୋଜନାର ଏକ ଅଂଶ ଭାବେ ବୈଜ୍ଞାନିକଙ୍କ ଘରକୁ ଷ୍ଟନ୍ ଗ୍ରେନେଡ୍ ଫିଙ୍ଗିବା ଏବଂ ଘଟଣାକୁ ଏକ ସାଧାରଣ ଆକ୍ରମଣ ଭଳି ଦେଖାଇବାର ଯୋଜନା ଥିବା ଅଭିଯୋଗ ରହିଛି । ଏପରିକି ପୋଲିସ ଗାଡ଼ିର ନକଲି ନମ୍ବର ପ୍ଲେଟ୍ ମଧ୍ୟ ଯୋଗାଡ଼ କରାଯାଇଥିଲା। କିନ୍ତୁ ଆକ୍ରମଣ ପୂର୍ବରୁ ଇସ୍ରାଏଲୀ ସୁରକ୍ଷା ଏଜେନ୍ସି ସେମାନଙ୍କୁ ଧରିନେଇଥିଲା ।
ଏହି ଘଟଣାକୁ ୨୦୨୦ରେ ଇରାନ୍ର ପ୍ରମୁଖ ପରମାଣୁ ବୈଜ୍ଞାନିକ ଡ. ମୋହସିନ୍ ଫଖରିଜାଦେହଙ୍କ ହତ୍ୟା ସହ ତୁଳନା କରାଯାଉଛି । ଫଖରିଜାଦେହଙ୍କ ହତ୍ୟା ପଛରେ ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦ୍ର ହାତ ଥିବା ଅଭିଯୋଗ ଇରାନ୍ କରିଥିଲା । ଏହି ମାମଲାରେ ଆଉ ୩ ଜଣଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଜାରି ରହିଛି ।

