ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍ (ଏସଏନସିୟୁ)ରେ ଶନିବାର ରାତିରେ ଏକ ଦୁଃଖଦ ଅଗ୍ନିକାଣ୍ଡ ଘଟିଛି। ୱାର୍ମରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ
ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍ (ଏସଏନସିୟୁ)ରେ ଶନିବାର ରାତିରେ ଏକ ଦୁଃଖଦ ଅଗ୍ନିକାଣ୍ଡ ଘଟିଛି। ୱାର୍ମରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ତିନିଜଣ ନବଜାତ ଶିଶୁ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ସମସ୍ତ ଗୁରୁତର ଶିଶୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଜବଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ଘଟିଛି।
ସିଭିଲ ସର୍ଜନ କାଞ୍ଚନ ଦୁବେଙ୍କ ସୂଚନା ଅନୁଯାୟୀ, ଶିଶୁମାନଙ୍କୁ ଉଷୁମ ରଖିବା ପାଇଁ ବ୍ୟବହୃତ ହେଉଥିବା ୱାର୍ମରରେ ସ୍ପାର୍କିଂ ହେବା ଯୋଗୁଁ ଏହି ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ଏସଏନସିୟୁ ୱାର୍ଡରେ ମୋଟ ୩୩ ଜଣ ନବଜାତ ଶିଶୁ ରହିଥିଲେ।
ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ତତ୍ପରତା ପ୍ରକାଶ କରି ଅନ୍ୟ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରିଦେବାରୁ ଏକ ବଡ଼ ଧରଣର ବିପଦ ଏଡ଼ାଇ ଯାଇପାରିଛି। ଏହା ଏକ ଦୁର୍ଘଟଣାଜନିତ ଘଟଣା ଏବଂ ଏଥିରେ କୌଣସି ଅବହେଳା ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ହେଁ ପ୍ରଶାସନ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଛିନ୍ଦୱାଡ଼ା ମେଡିକାଲ କଲେଜର ଡିନ୍ ଡାକ୍ତର ଅଭୟ କୁମାର କହିଛନ୍ତି ଯେ, ରାତିରେ ସ୍ପାର୍କିଂ ହେବା କ୍ଷଣି ଉପସ୍ଥିତ ଦୁଇଜଣ କର୍ମଚାରୀ ଅଗ୍ନିଶମ ଯନ୍ତ୍ର ବ୍ୟବହାର କରି ନିଆଁକୁ ଆୟତ୍ତ କରିଥିଲେ।
ସେମାନେ ତୁରନ୍ତ ଅକ୍ସିଜେନ୍ ଯୋଗାଣ ବିଚ୍ଛିନ୍ନ କରିବା ସହ କମ୍ବଳଗୁଡ଼ିକୁ କାଢ଼ି ଶିଶୁମାନଙ୍କୁ ଅନ୍ୟ ଏସଏନସିୟୁକୁ ନେଇଯାଇଥିଲେ। ମୃତ୍ୟୁବରଣ କରିଥିବା ଶିଶୁଟି ପୂର୍ବରୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିଲା ଏବଂ ତାହାର ହୃଦ୍ ଜନିତ ଗୁରୁତର ସମସ୍ୟା ରହିଥିଲା ବୋଲି ଡାକ୍ତର କୁମାର ସୂଚନା ଦେଇଛନ୍ତି।

