ଓଡ଼ିଶାର ସ୍ୱାର୍ଥ ପାଇଁ ସାଂସଦମାନେ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ସେ କହିଛନ୍ତି । ଅନ୍ୟପଟେ କେବଳ ବିଜେଡି ରାଜ୍ୟସଭାରେ ଏହି ବିଲ୍କୁ ଦୃଢ଼ ବିରୋଧ କରିଥିବା ନବୀନ ଦାବି କରିଛନ୍ତି ।
ସଂସଦରେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପାସ୍ ହେବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ ବୋଲି କହିବା ସହ ଦଳୀୟ ସ୍ୱାର୍ଥ ଛାଡ଼ି ମାଟିର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି ।
ନବୀନଙ୍କ ଅଭିଯୋଗ ଅନୁସାରେ, ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାରକୁ ଦୁର୍ବଳ କରିଛି । ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଥିବା ସତ୍ତ୍ୱେ ନିଜ ଖଣିରୁ ରାଜ୍ୟ ନିଜ ଲୋକଙ୍କ କଲ୍ୟାଣ ପାଇଁ କାହିଁକି କର ସଂଗ୍ରହ କରିପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ କହିଛନ୍ତି, ଦୀର୍ଘ ୨୪ ବର୍ଷ ଧରି ସେ ଓଡ଼ିଶାର ସ୍ୱାର୍ଥକୁ ଜଗିଥିଲେ । କିନ୍ତୁ ୨୦୨୪ରେ ନୂଆ ବିଜେପି ସରକାର ଆସିବାର ମାତ୍ର ଦୁଇ ବର୍ଷ ମଧ୍ୟରେ ସବୁକିଛି ବଦଳିଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏବେ ଓଡ଼ିଶାକୁ କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଲୋକସଭାରେ ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ଥିବା ସତ୍ତ୍ୱେ ରାଜ୍ୟର ସ୍ୱାର୍ଥ ପାଇଁ କେହି ସ୍ୱର ଉଠାଇଲେ ନାହିଁ ବୋଲି ନବୀନ ଅଭିଯୋଗ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ସାଂସଦମାନେ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ସେ କହିଛନ୍ତି । ଅନ୍ୟପଟେ କେବଳ ବିଜେଡି ରାଜ୍ୟସଭାରେ ଏହି ବିଲ୍କୁ ଦୃଢ଼ ବିରୋଧ କରିଥିବା ନବୀନ ଦାବି କରିଛନ୍ତି ।
ଏହି ବିଲ୍ ଯୋଗୁଁ ଓଡ଼ିଶା ବଡ଼ କ୍ଷତି ସହିବ କି ନାହିଁ, ତାହାକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି । ଆଗାମୀ ପିଢ଼ି ଓ ଜେନ୍-ଜିଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିବା ସହ ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା କୌଣସି ଚକ୍ରାନ୍ତକୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ ବୋଲି ନବୀନ କହିଛନ୍ତି ।

