ଅଷ୍ଟ୍ରେଲିଆର ଟେନିସ୍ ତାରକା ନିକ୍ କିର୍ଗିଓସ୍ ଡୋପିଂ ଟେଷ୍ଟରେ କୋକେନ୍ର ଏକ ମୁଖ୍ୟ ଉପାଦାନ ‘ବେଞ୍ଜୋଇଲେକଗୋନାଇନ୍’ ଠାବ ହେବା ପରେ ସାମୟିକ ନିଲମ୍ବନର ସମ୍ମୁଖୀନ ହୋଇଛନ୍ତି। ଗତ ଜୁନ୍ରେ ସ୍ପେନ୍ର ମାଲୋର୍କାରେ ତାଙ୍କ ଡୋପ୍ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଜୁଲାଇ ୧୭ରେ WADA ସ୍ୱୀକୃତ ପରୀକ୍ଷାଗାର ଏହି ପଦାର୍ଥ ଥିବା ସ୍ପଷ୍ଟ କରିଥିଲା। ଅଗଷ୍ଟ ୪ରୁ ତାଙ୍କ ଉପରେ ନିଲମ୍ବନ ଲାଗୁ ହୋଇଛି।
ଅଷ୍ଟ୍ରେଲିଆର ବିବାଦୀୟ ତଥା ତାରକା ଟେନିସ୍ ଖେଳାଳି ନିକ୍ କିର୍ଗିଓସ୍ଙ୍କୁ ଏକ ବଡ଼ ଝଟ୍କା ଲାଗିଛି । ନିଷିଦ୍ଧ ନିଶାଦ୍ରବ୍ୟ କୋକେନ୍ ସେବନ କରି ଡୋପ୍ ଟେଷ୍ଟ୍ରେ ଧରାପଡ଼ିବା ପରେ ତାଙ୍କୁ ଟେନିସ୍ରୁ ସାମୟିକ ଭାବେ ନିଲମ୍ବିତ (ସସପେଣ୍ଡ) କରାଯାଇଛି । ୨୦୨୨ ମସିହା ୱିମ୍ବଲଡନ୍ ଓପନ୍ର ପୁରୁଷ ଏକକ ଉପବିଜେତା କିର୍ଗିଓସ୍ ଏହି ନିଲମ୍ବନ ପରେ ନିଜ ଭୁଲ୍କୁ ସର୍ବସାଧାରଣରେ ସ୍ୱୀକାର କରିବା ସହ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ।
ସୂଚନା ଅନୁସାରେ, ଗତ ଜୁନ୍ ମାସରେ ସ୍ପେନ୍ର ମାଲୋର୍କାରେ ଆୟୋଜିତ ଏକ ଟେନିସ୍ ପ୍ରତିଯୋଗିତା ସମୟରେ କିର୍ଗିଓସ୍ଙ୍କ ଡୋପ୍ ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ତାଙ୍କ ନମୁନାରେ ‘ବେଞ୍ଜୋଇଲେକଗୋନାଇନ୍’ ନାମକ ଏକ ରାସାୟନିକ ପଦାର୍ଥ ଠାବ ହୋଇଥିଲା, ଯାହାକି କୋକେନ୍ର ଏକ ମୁଖ୍ୟ ଉପାଦାନ । ପରେ ଜୁଲାଇ ୧୭ ତାରିଖରେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା (ୱାଡା)ର ଏକ ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାର ଏହାକୁ ସ୍ପଷ୍ଟ କରିଥିଲା । ଏହି ରିପୋର୍ଟ ଆଧାରରେ ଚଳିତ ଅଗଷ୍ଟ ୪ ତାରିଖରୁ ତାଙ୍କ ଉପରେ ଏହି ସାମୟିକ ନିଲମ୍ବନ ଲାଗୁ କରାଯାଇଛି ।
ଡୋପିଂ ମାମଲା ପଦାକୁ ଆସିବା ପରେ ୩୧ ବର୍ଷୀୟ କିର୍ଗିଓସ୍ ସୋସିଆଲ୍ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ ନିଜ ଜୀବନର ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ସେ ଏହି ଭୁଲ୍ କରି ବସିଥିଲେ । ଏଥିସହିତ ସେ ଏହି ନିଲମ୍ବନ ଆଦେଶ ବିରୋଧରେ କୌଣସି ପ୍ରକାରର ଆଇନଗତ ଅପିଲ୍ କରିବେ ନାହିଁ ଏବଂ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ମାନିନେବେ ବୋଲି ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କିର୍ଗିଓସ୍ ନିଜ ଚମତ୍କାର ଖେଳ ତଥା କୋର୍ଟ ଭିତରେ ଉଗ୍ର ଆଚରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଏକଦା ବିଶ୍ୱ ମାନ୍ୟତାର ୧୩ଶ ସ୍ଥାନରେ ଥିବା ଏହି ଖେଳାଳି ଦୀର୍ଘ ଦିନର ଆଘାତ ସମସ୍ୟା ଯୋଗୁଁ କ୍ରମାଗତ ଭାବେ ର୍ୟାଙ୍କିଙ୍ଗର ଢେର ତଳକୁ ଖସି ଆସିଥିଲେ । ଏବେ ଟେନିସ୍ କୋର୍ଟକୁ ପୂର୍ଣ୍ଣାଙ୍ଗ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରୁଥିବା ବେଳେ ଏହି ଡୋପିଂ କଳଙ୍କ ତାଙ୍କ କ୍ରୀଡ଼ା କ୍ୟାରିୟର ପାଇଁ ଆଉ ଏକ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି ।

