ଇଏ କେମିତି ଯୋଜନା? ମୃତ୍ୟୁର ୪୨ ଦିନ ପରେ ଆସିଲା ସୁସ୍ଥ ହେବା ମେସେଜ୍

ଛତିଶଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ରେକର୍ଡକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁର ୪୨ ଦିନ ପରେ ତାଙ୍କ ପତ୍ନୀଙ୍କ ମୋବାଇଲ୍‌କୁ ଆସିଛି ‘ସୁସ୍ଥ ହେଉଛନ୍ତି ଏବଂ ଘରକୁ ଫେରୁଛନ୍ତି’ ବୋଲି ମେସେଜ୍‌ ।

ଛତିଶଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ରେକର୍ଡକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁର ୪୨ ଦିନ ପରେ ତାଙ୍କ ପତ୍ନୀଙ୍କ ମୋବାଇଲ୍‌କୁ ଆସିଛି ‘ସୁସ୍ଥ ହେଉଛନ୍ତି ଏବଂ ଘରକୁ ଫେରୁଛନ୍ତି’ ବୋଲି ମେସେଜ୍‌ । ଏହାକୁ ନେଇ ପରିବାର ପକ୍ଷରୁ ଗୁରୁତର ପ୍ରଶ୍ନ ଉଠାଯାଇଛି ।

ମୃତ କନଷ୍ଟେବଳଙ୍କ ନାଁ ଦେବ ନାରାୟଣ ରାମ। ତାଙ୍କ ପତ୍ନୀ ସୀମା କୁଜୁରଙ୍କ କହିବା ଅନୁସାରେ, ଅମ୍ବିକାପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ସମୟରେ ଦେବ ନାରାୟଣଙ୍କ ମୃତ୍ୟୁ ହୋଇଥିଲା । ପରିବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ସହ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପାଇଥିଲେ ।

କିନ୍ତୁ ମୃତ୍ୟୁର ୪୨ ଦିନ ପରେ ଆୟୁଷ୍ମାନ ସାରଥୀ ପକ୍ଷରୁ ଏକ ମେସେଜ୍‌ ଆସିଥିଲା । ଏଥିରେ ଦେବ ନାରାୟଣ ସୁସ୍ଥ ହେଉଥିବା ଏବଂ ମାଗଣା ଚିକିତ୍ସା ସେବାରେ ସନ୍ତୁଷ୍ଟ ଥିବା ନେଇ ଉଲ୍ଲେଖ ଥିଲା । ଏହା ପରେ ସୀମା ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଘଟଣାର ତଦନ୍ତ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ ଆୟୁଷ୍ମାନ କାର୍ଡକୁ ୪୨ ଦିନ ଧରି ବ୍ୟବହାର କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହସ୍ପିଟାଲର ଡାକ୍ତର ଶୈଳେନ୍ଦ୍ର ଗୁପ୍ତାଙ୍କ କହିବା ଅନୁସାରେ, ଦେବ ନାରାୟଣ ଜୁନ୍‌ ୨୬ରେ ଭର୍ତ୍ତି ହୋଇଥିଲେ ଏବଂ ଜୁନ୍‌ ୩୦ରେ ମୃତ୍ୟୁବରଣ କରିଥିଲେ । ଆୟୁଷ୍ମାନ ଯୋଜନାରେ କେବଳ ୪ ଦିନର ଚିକିତ୍ସା ପାଇଁ ହିଁ ଟଙ୍କା କଟାଯାଇଛି, ମୃତ୍ୟୁ ପରେ କୌଣସି ଅତିରିକ୍ତ ଟଙ୍କା ଦାବି କରାଯାଇନାହିଁ ।

ହସ୍ପିଟାଲ ପକ୍ଷରୁ କୁହାଯାଇଛି, ମୃତ୍ୟୁ ପରେ ଆୟୁଷ୍ମାନ କାର୍ଡକୁ ତୁରନ୍ତ ବନ୍ଦ କରିବାରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ପକ୍ଷରୁ ବିଳମ୍ବ ହୋଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ଆୟୁଷ୍ମାନ କାର୍ଡ ସମ୍ପର୍କିତ କାମରୁ ହଟାଇ ଦିଆଯାଇଛି । ତେବେ ରେକର୍ଡ ଅପଡେଟ୍‌ରେ ଏଭଳି ତ୍ରୁଟି କିପରି ହେଲା, ତାହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର ।

Leave a Reply

Your email address will not be published. Required fields are marked *