ଦେବୀ ନଦୀରେ ବଢ଼ୁଛି ବନ୍ୟାଜଳ , ଦୁର୍ବଳ ବନ୍ଧକୁ ନେଇ ଦଶ ଗାଁରେ ଆତଙ୍କ

ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ବଢ଼ୁଛି ଦେବୀ ନଦୀର ଜଳସ୍ତର । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଛି ଚିନ୍ତା ।

ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ବଢ଼ୁଛି ଦେବୀ ନଦୀର ଜଳସ୍ତର । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଛି ଚିନ୍ତା । ବିଶେଷକରି ଅସ୍ତରଙ୍ଗ ବ୍ଲକର ଅସନ ଗ୍ରାମ ନିକଟରେ ଦେବୀ ନଦୀ ବନ୍ଧ ଦୁର୍ବଳ ହୋଇପଡ଼ିଥିବାରୁ ଦଶରୁ ଅଧିକ ଗାଁର ଲୋକେ ଆତଙ୍କିତ ଅଛନ୍ତି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ ହୀରାକୁଦ ଡ୍ୟାମରୁ ମହାନଦୀକୁ ବନ୍ୟାଜଳ ଛାଡ଼ାଯିବା ପରେ ତାହାର ଶାଖା ନଦୀ ଦେବୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। କାକଟପୁର ବ୍ଲକର ବାଉରିଆକଣ ନିକଟରେ ଜଳସ୍ତର ବିପଦ ସଙ୍କେତ ତଳେ ଥିଲେ ମଧ୍ୟ ନଦୀ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ପ୍ରବଳ ସ୍ରୋତରେ ସମୁଦ୍ର ମୁହାଁକୁ ବହିଚାଲିଛି ।

ନଦୀରେ ବିପୁଳ ପରିମାଣର କଟକୀ ଦଳ ଓ ଭେଳା ଭାସି ଆସୁଥିବାରୁ ସ୍ରୋତ ଆହୁରି ବିପଜ୍ଜନକ ହୋଇପଡ଼ିଛି । ଏହା ସହ ଦେବୀ ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନ୍ୟପଟେ ଅସ୍ତରଙ୍ଗ ବ୍ଲକର ଆଳସାହି ପଞ୍ଚାୟତ ଅନ୍ତର୍ଗତ ଅସନ ଗ୍ରାମ ନିକଟରେ ଦେବୀ ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ବନ୍ଧକୁ ସୁରକ୍ଷା ଦେଉଥିବା ଦୁଇଟି ପଥର ସ୍ପର ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଥିବା ବେଳେ ବନ୍ୟାଜଳ ସିଧାସଳଖ ସେଥିରେ ମାଡ଼ ମାରୁଛି। ଫଳରେ ବନ୍ଧର ବିଭିନ୍ନ ସ୍ଥାନରୁ ଅତଡ଼ା ଖସିବା ଆରମ୍ଭ ହୋଇଛି । ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ସ୍ଥାନୀୟ ଲୋକେ ବାଲି ବସ୍ତା ମହଜୁଦ ରଖିଛନ୍ତି, ଯାହାଦ୍ୱାରା ପରିସ୍ଥିତି ଗୁରୁତର ହେଲେ ତୁରନ୍ତ ବନ୍ଧକୁ ସୁରକ୍ଷା ଦିଆଯାଇପାରିବ। ତେବେ ଅସନ ଗ୍ରାମ ସମେତ ପ୍ରାୟ ଦଶଟି ଗ୍ରାମର ଲୋକ ବନ୍ଧର ସ୍ଥିତିକୁ ନେଇ ଆତଙ୍କରେ ଦିନ କାଟୁଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି, ପ୍ରଶାସନ ତୁରନ୍ତ ବନ୍ଧର ମରାମତି ଓ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରୁ, ନଚେତ ବନ୍ୟା ପରିସ୍ଥିତି ଗୁରୁତର ରୂପ ନେଇପାରେ ।

Leave a Reply

Your email address will not be published. Required fields are marked *