ପୁଟିନ ଓ ଉତ୍ତର କୋରିଆ ବନ୍ଧୁତା ବିଶ୍ୱ ପାଇଁ ବଡ଼ ବିପଦ : ଜେଲେନସ୍କି

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରୁଷ ଏବେ କେବଳ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁନାହିଁ, ବରଂ ଇରାନକୁ ଗୁପ୍ତ ସୂଚନା ଦେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ ପାଇଁ ଉସୁକାଉଛି ବୋଲି ସେ ଦାବି କରିଛନ୍ତି।

ବିଶ୍ବ ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରୁଷ ଏବେ କେବଳ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁନାହିଁ, ବରଂ ଇରାନକୁ ଗୁପ୍ତ ସୂଚନା ଦେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ ପାଇଁ ଉସୁକାଉଛି ବୋଲି ସେ ଦାବି କରିଛନ୍ତି। ଜେଲେନସ୍କିଙ୍କ ଅନୁଯାୟୀ, ରୁଷ ନିଜର ଗୁପ୍ତଚର ଉପଗ୍ରହ ସାହାଯ୍ୟରେ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିର ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ଉଠାଇ ଇରାନକୁ ପ୍ରଦାନ କରୁଛି। ଏହି ଗୁପ୍ତ ତଥ୍ୟ ବ୍ୟବହାର କରି ଇରାନ ନିଜର ଆକ୍ରମଣ ଯୋଜନାକୁ ସଫଳ କରିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ ହେଉଛି ।

ୟୁକ୍ରେନୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟକୁ ଆଧାର କରି ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଯେ, ଜୁଲାଇ ମାସ ଆରମ୍ଭରୁ ରୁଷୀୟ ଉପଗ୍ରହଗୁଡ଼ିକ ବାହାରିନ, ଜୋର୍ଡାନ ଏବଂ କୁଏତରେ ଥିବା ପ୍ରମୁଖ ଆମେରିକୀୟ ଏୟାରବେସ୍‌ଗୁଡ଼ିକ ଉପରେ କ୍ରମାଗତ ନଜର ରଖିଛନ୍ତି । ବିଶେଷ କରି ଜୁଲାଇ ୧୯ ଏବଂ ୨୦ ତାରିଖରେ ଏହି ଉପଗ୍ରହଗୁଡ଼ିକ ଦ୍ୱାରା ଉତ୍ତୋଳନ କରାଯାଇଥିବା ଚିତ୍ରଗୁଡ଼ିକୁ ତୁରନ୍ତ ଇରାନକୁ ହସ୍ତାନ୍ତର କରାଯାଇଛି । ଆକ୍ରମଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଏବଂ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ପାଇଁ ମଧ୍ୟ ରୁଷର ଏହି ପ୍ରଯୁକ୍ତିବିଦ୍ୟା ବ୍ୟବହାର ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କିତ ସମସ୍ତ ଗୁପ୍ତଚର ପ୍ରମାଣ ଓ ଦସ୍ତାବିଜ୍ ସେ ଖୁବଶୀଘ୍ର ନିଜର ବିଶ୍ୱ ସହଯୋଗୀ ଓ ମିତ୍ର ଦେଶମାନଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ।

ଏହା ସହିତ ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ସମ୍ପର୍କକୁ ନେଇ ଜେଲେନସ୍କି ଗୁରୁତର ଚେତାବନୀ ଦେଇଛନ୍ତି। ଭ୍ଲାଦିମିର ପୁଟିନ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଏବେ ପ୍ୟୋଙ୍ଗୟାଙ୍ଗର ଶରଣାପନ୍ନ ହୋଇଛନ୍ତି। ଉତ୍ତର କୋରିଆରୁ ପ୍ରାୟ ୩୦ ହଜାର ସୈନ୍ୟ ରୁଷ ସେନାରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ସେମାନଙ୍କୁ ରୁଷର ଭୋରୋନେଜ୍ ଅଞ୍ଚଳରେ ବିଶେଷ ତାଲିମ ଦିଆଯାଉଛି। କେବଳ ସୈନ୍ୟ ନୁହେଁ, ବରଂ ଉତ୍ତର କୋରିଆ ରୁଷକୁ ଅତ୍ୟାଧୁନିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚର୍ ପ୍ରଣାଳୀ ମଧ୍ୟ ଯୋଗାଇ ଦେଉଛି। ରୁଷ-ଇରାନ-ଉତ୍ତର କୋରିଆର ଏହି ମେଣ୍ଟ ସମଗ୍ର ଏସିଆ ମହାଦେଶ ସମେତ ବିଶ୍ୱର ନିରାପତ୍ତା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି ବୋଲି ଜେଲେନସ୍କି ସତର୍କ କରାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *