ଇରାନ ଜଳସୀମାରେ ହର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ଏକ ଏଲପିଜି ଟ୍ୟାଙ୍କର ଉପରେ ମିସାଇଲ୍ ଆକ୍ରମଣ ହୋଇଛି । ମୋଜାମ୍ବିକ୍ ପତାକା ବହନ କରୁଥିବା ‘ଦିଶା’ ନାମକ ଏହି ଜାହାଜରେ ଥିବା ସମସ୍ତ ୨୮ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ସୂଚନା ମିଳିଛି ।
ଇରାନ ଜଳସୀମାରେ ହର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ଏକ ଏଲପିଜି ଟ୍ୟାଙ୍କର ଉପରେ ମିସାଇଲ୍ ଆକ୍ରମଣ ହୋଇଛି । ମୋଜାମ୍ବିକ୍ ପତାକା ବହନ କରୁଥିବା ‘ଦିଶା’ ନାମକ ଏହି ଜାହାଜରେ ଥିବା ସମସ୍ତ ୨୮ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ସୂଚନା ମିଳିଛି । ତେହରାନସ୍ଥିତ ଭାରତୀୟ ଦୂତାବାସ ସୋସିଆଲ୍ ମିଡିଆରେ ଜାରି କରିଥିବା ବୟାନରେ କହିଛି ଯେ, ଘଟଣା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ ରହିଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆର ସୂଚନା ଅନୁଯାୟୀ, ଏକ ଅଜଣା ମିସାଇଲ୍ରେ ଟ୍ୟାଙ୍କରକୁ ଲକ୍ଷ୍ୟ କରାଯାଇଥିଲା । ସେତେବେଳେ ଜାହାଜଟି ପାର୍ସିକ୍ ଉପସାଗର ଅଭିମୁଖେ ଯାଉଥିଲା । ତେବେ ଏହି ଆକ୍ରମଣ ପଛରେ କିଏ ରହିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟି ହୋଇନାହିଁ । ଏହି ଘଟଣା ପରେ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ୍ ଷ୍ଟ୍ରେଟ୍ର ସୁରକ୍ଷାକୁ ନେଇ ପୁଣି ଚିନ୍ତା ବଢ଼ିଛି । ସମ୍ପ୍ରତି ଏହି ଅଞ୍ଚଳରେ ବଢ଼ୁଥିବା ତିକ୍ତତା ଯୋଗୁଁ ବ୍ୟବସାୟିକ ଜାହାଜ ଚଳାଚଳ ଓ ବିଶ୍ୱ ଉର୍ଜା ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ପ୍ରକାଶ ପାଉଛି ।

