ନଟିଂହାମ୍ର ଟେଣ୍ଟ ବ୍ରିଜଠାରେ ମଙ୍ଗଳବାର ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦। ପୂର୍ବ ମ୍ୟାଚ୍ରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଏହି ମ୍ୟାଚ୍ରେ ଜିତି ଶୃଙ୍ଖଳାକୁ ଫେରିବାକୁ ଉଦ୍ୟମ କରିବ।
ନଟିଂହାମ୍ର ଟେଣ୍ଟ ବ୍ରିଜଠାରେ ମଙ୍ଗଳବାର ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦। ପୂର୍ବ ମ୍ୟାଚ୍ରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଏହି ମ୍ୟାଚ୍ରେ ଜିତି ଶୃଙ୍ଖଳାକୁ ଫେରିବାକୁ ଉଦ୍ୟମ କରିବ। ତେବେ ଭାରତୀୟ ଦଳର ଦୁର୍ବଳତା କମିବା ବଦଳରେ ବଢିବାରେ ଲାଗିଛି।
ଭାରତୀୟ ବ୍ୟାଟିଂଏପର୍ଯ୍ୟନ୍ତ ନିଜର ସୁନାମର ଅନୁରୂପ ପ୍ରଦର୍ଶନ କରିପାରି ନଥିବାବେଳେ ବୋଲିଂର ଦୁର୍ବଳତା ଉଜାଗର ହୋଇଛି। ଦ୍ବିତୀୟ ମ୍ୟାଚ୍ରେ ଭାରତୀୟ ସ୍ପିନର ରବି ବିଷ୍ଣୋୟୀଙ୍କ ଓଭରଗୁଡ଼ିକରୁ ଇଂଲଣ୍ଡ ବ୍ୟାଟର୍ମାନେ ଭରପୂର ଫାଇଦା ଉଠାଇଥିଲେ। ଏପରିକି ତାଙ୍କର ଗୋଟିଏ ଓଭର ହିଁ ମ୍ୟାଚ୍ର ଗତି ବଦଳାଇଦେଇଥିଲା। ୧୭ ତମ ଓଭରରେ ସେ ତିନୋଟି ‘ନୋ ବଲ୍’ ପକାଇବା ପରେ ‘ଫ୍ରି ହିଟ୍’ର ଫାଇଦା ନେଇ ଇଂଲଣ୍ଡ ପାଇଁ ବିଜୟ ସୁନିଶ୍ଚିତ କରିଦେଇଥିଲେ ଜାକବ୍ ବେଥେଲ୍।
ବାରମ୍ବାର ‘ନୋ ବଲ୍’ ପଛରେ ରବିଙ୍କ ଅସ୍ବାଭାବିକ ବୋଲିଂ ରନ୍ ଅପ୍କୁ ଦିଆଯାଉଛି। ସେ ନିଜର ୪ ଓଭରରେ ମୋଟ ୬୦ ରନ୍ ଦେଇଥିଲେ। ଏଣୁ ତୃତୀୟ ମ୍ୟାଚ୍ରେ ଭାରତୀୟ ଦଳ ତାଙ୍କୁ ପୁଣି ଖେଳାଇବ କି ପ୍ରିନ୍ସ ଯାଦବଙ୍କୁ ସାମିଲ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିବ। ପ୍ରିନ୍ସ ଯାଦବ ଆୟର୍ଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଗତ ମ୍ୟାଚ୍ରେ ଫର୍ମରେ ନଥିବା ସଂଜୁ ସାମସନ୍ଙ୍କ ବଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଥିଲା।
କିନ୍ତୁ ସେ ବଡ଼ ସ୍କୋର କରିପାରି ନଥିଲେ। ତେବେ ଏହି ମ୍ୟାଚ୍ରେ ବି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତାଙ୍କଠାରୁ ଏକ ବିସ୍ଫୋରକ ପାଳି ଆଶା କରିବ ଦଳ। ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ନିଜର ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ କରିବ। ତେବେ ଗତ ମ୍ୟାଚ୍ରେ ଦଳର ଦୁଇ ଓପନର୍ ଫିଲ୍ ସଲ୍ଟ ଓ ଜୋସ୍ ବଟଲର ଖାତା ଖୋଲିପାରି ନଥିଲେ। ଏଣୁ ଏହି ମ୍ୟାଚ୍ରେ ସେମାନେ ବଡ଼ ପାଳି ଖେଳିବାକୁ ଉଦ୍ୟମ କରିବେ।
ସମ୍ଭାବ୍ୟ ଭାରତୀୟ ଦଳ: ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍ରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରିନ୍ସ ଯାଦବ/ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଫିଲ ସଲ୍ଟ, ଜୋସ୍ ବଟଲର (ୱିକେଟ୍ରକ୍ଷକ), ହାରି ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ଟମ୍ ବେଣ୍ଟନ, ସାମ୍ କରନ, ୱିଲ୍ ଜ୍ୟାକ୍ସ, ଲିଅମ ଡ’ସନ୍, ଜୋଫ୍ରା ଆର୍ଚର, ସକିବ ମହମୁଦ, ଆଦିଲ ରସିଦ।

