ଅଗ୍ରୱାଲ ପରିବାର ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନାତି କେତନଙ୍କ ମୃତ୍ୟୁ ଶୋକ ସହି ନପାରି ତାଙ୍କର ୭୧ ବର୍ଷୀୟ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କର ପରଲୋକ ହୋଇଛି ।
କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଏହି ସମୟରେ ଅଗ୍ରୱାଲ ପରିବାର ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନାତି କେତନଙ୍କ ମୃତ୍ୟୁ ଶୋକ ସହି ନପାରି ତାଙ୍କର ୭୧ ବର୍ଷୀୟ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କର ପରଲୋକ ହୋଇଛି ।
ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ନିକଟରେ କେତନଙ୍କୁ ନ୍ୟାୟ ଦେବା ପାଇଁ ଆୟୋଜିତ କ୍ୟାଣ୍ଡେଲ ମାର୍ଚ୍ଚରେ ସେ ସାମିଲ ହୋଇଥିଲେ। ସେଠାରେ ସେ କୋହଭରା କଣ୍ଠରେ କହିଥିଲେ, “ଏହା ଏକ ବଡ଼ ବିଶ୍ୱାସଘାତକତା । ନିଜ ଲୋକମାନେ ହିଁ ଏମିତି କରିଛନ୍ତି । ଝିଅ ଘର ଲୋକଙ୍କ ସହ ଆମର ବହୁତ ପୁରୁଣା ସମ୍ପର୍କ ଥିଲା, ସେମାନେ ସବୁ ଜାଣି ମଧ୍ୟ ରୋକିଲେ ନାହିଁ । ସିୟା ଏବଂ ଚେତନଙ୍କୁ ଫାଶୀ ଦଣ୍ଡ ମିଳୁ ।”
ଅନ୍ୟପଟେ ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କର ଏକ ସ୍ନାପଚାଟ୍ (Snapchat) ପୁଲିସ ହାତରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସିୟା ନିଜର ଜଣେ ବାନ୍ଧବୀଙ୍କୁ ପଠାଇଥିବା ଏହି ମେସେଜ୍ରେ ଲେଖିଥିଲେ ଯେ କେତନଙ୍କ ସହ ତାଙ୍କର ବିବାହ ହେବାର ନାହିଁ । ସୂତ୍ର ଅନୁସାରେ, ସିୟା ଉଦୟପୁରରେ ହେବାକୁ ଥିବା ବିବାହ ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବା ବାହାନାରେ ନିଜ ବାନ୍ଧବୀଙ୍କୁ ଆଧାର କାର୍ଡ ମାଗିଥିଲେ । ସେ ସେଥିରେ ଲେଖିଥିଲେ, “ମତେ ତୁମର ଆଧାର କାର୍ଡ ପଠାଅ, ଯାହାଫଳରେ ମୁଁ ସେହି ବିବାହ ପାଇଁ ତୁମର ଟିକେଟ୍ ବୁକ୍ କରିପାରିବି ଯାହା କେବେ ହେବ ହିଁ ନାହିଁ ।”
ତଦନ୍ତକାରୀ ଟିମ୍ ମତରେ, ଏହି ଫ୍ଲାଇଟ୍ ଟିକେଟ୍ ବୁକିଂ କେବଳ ଏକ ନାଟକ ଥିଲା । ହତ୍ୟା ଷଡ଼ଯନ୍ତ୍ର ଉପରେ ଯେପରି କାହାର ସନ୍ଦେହ ନହେଉ ଏବଂ ସମସ୍ତଙ୍କୁ ବିବାହ ପ୍ରସ୍ତୁତି ଚାଲିଛି ବୋଲି ଭ୍ରମରେ ରଖିବା ପାଇଁ ଏହା କରାଯାଇଥିଲା । କେତନଙ୍କ ହତ୍ୟା ପରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ସିୟା ଏବଂ ଚେତନ ଏକ ବଡ଼ ଯୋଜନା କରିଥିଲେ । ପୁଲିସ ଏବେ ସିୟାଙ୍କ ସେହି ବାନ୍ଧବୀଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତି ଚଳାଇଛି, ଯାହାଫଳରେ ହତ୍ୟାକାଣ୍ଡ ପଛର ସମସ୍ତ ଗୁମର ଫିଟିପାରିବ ।

