ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବରୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ, ଗତ ଦୁଇରୁ ତିନି ଦିନ ଧରି କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି ।
ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବରୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ, ଗତ ଦୁଇରୁ ତିନି ଦିନ ଧରି କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ବାଲିଗୁଡ଼ା, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି ଏବଂ ତୁମୁଡ଼ିବନ୍ଧ ଅଞ୍ଚଳରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଛି । ଗତକାଲି ରାତିରେ ଜାତୀୟ ରାଜପଥ-୫୯ର ମହାସିଂ ନିକଟରେ ଏକ ବିଶାଳ ବରଗଛ ଉପୁଡ଼ି ପଡ଼ିବାରୁ ପ୍ରାୟ ତିନି ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।
ଏହାଫଳରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାୟପୁର, ରାୟଗଡ଼ା ଓ ଭବାନୀପାଟଣା ଅଭିମୁଖେ ଯାଉଥିବା ଅନେକ ରାତ୍ରିକାଳୀନ ବସ୍ ରାସ୍ତାରେ ଅଟକି ରହିଥିଲା । ପରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଅନ୍ୟପଟେ, ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ କିଛି ଦିନ ଯାଏଁ ବର୍ଷାର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ଲୋକମାନଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଏବଂ ସମସ୍ତ ସୁରକ୍ଷା ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।

