୪୧ ବର୍ଷରେ ପ୍ରଥମ: ଆଜି ଭାରତ-ପାକିସ୍ତାନ ଟକ୍କର

ଦୁବାଇ: ଯାହା ୪୧ ବର୍ଷ ଭିତରେ ହୋଇ ନଥିଲା, ତାହା ମାତ୍ର କିଛି ଘଣ୍ଟା ପରେ ହେବାକୁ ଯାଉଛି। ଗତ ୧୬ ସଂସ୍କରଣର ୧୬ଟି ଫାଇନାଲ୍‌ରେ ‌ଯେଉଁ ମହାଯୁଦ୍ଧକୁ କ୍ରିକେଟ୍‌ପ୍ରେମୀ ଦେଖି ନଥିଲେ, ତାହା ଶେଷରେ ଦୁବାଇରେ ଦେଖିବାକୁ ମିଳିବ। ଏସିଆ କପ୍‌ର ଫାଇନାଲ୍‌ରେ ପ୍ରଥମ ଥର ଲାଗି ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହି ଟ୍ରଫି ଟକ୍କର ଉପରେ ସମଗ୍ର କ୍ରିକେଟ୍ ଦୁନିଆର ନଜର ରହିଛି। ଚର୍ଚ୍ଚା, ସହର ବଜାରଠାରୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ବ୍ୟାପିଛି। ସବୁଠି ଏହି ମ୍ୟାଚ୍‌କୁ ନେଇ ହେଉଛି ଆଲୋଚନା ଓ ପର୍ଯ୍ୟାଲୋଚନା। ସେଥିପାଇଁ ସୁପର୍‌ ସନ୍‌ଡେର ଏହି ସୁପର୍ ମୁକାବିଲା କେବଳ ଆଉ ଏକ କ୍ରିକେଟ୍ ମ୍ୟାଚ୍‌ରେ ସୀମିତ ରହିନାହିଁ। ଏହା ଏକପ୍ରକାର ଅଘୋଷିତ କ୍ରୀଡ଼ାଯୁଦ୍ଧରେ ପରିଣତ ହୋଇଛି। ଉଭୟ ଦଳ ପରସ୍ପରକୁ ହରାଇ ବିଜେତା ହେବାର ଦମ୍ଭ ଭରୁଥିଲା ବେଳେ ଭାରତର ପଲା କିନ୍ତୁ ପୂରା ଭାରି ରହିଛି। କାରଣ ପାକିସ୍ତାନର ଗର୍ବ, ଅହଂକାରକୁ ଦଳି ପ୍ରଥମେ ଲିଗ୍ ଏବଂ ପରେ ସୁପର-୪ରେ ଏହି ଅସ୍ଥିର ଦଳ ଉପରେ ଆଧିପତ୍ୟଭରା ବିଜୟ ପାଇଛି ଟିମ୍ ଇଣ୍ଡିଆ। ରବିବାର ପୁଣି ଥରେ ବିଜୟର ସେହି ମିଠାମିଠା ସ୍ବାଦ ଚାଖିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାରଙ୍କ ଅପରାଜେୟ ସେନା। ଚିର ଶତ୍ରୁ ଦଳକୁ ଲଗାତାର ତୃତୀୟ ଥର ହରାଇ ୧୪୫ କୋଟି ଭାରତୀୟଙ୍କୁ ଆଗୁଆ ଦଶହରା ଭେଟି ଦେବାର ଆଶାରେ ଅଛି। ରବିବାର ରାତି ୮ଟାରୁ ଭାରତୀୟ କ୍ରିକେଟ୍ ଦଳ ଏହି ବହୁ ପ୍ରତୀକ୍ଷିତ ମହାଲଢ଼େଇକୁ ଓହ୍ଲାଇବ। ଅଭିଷେକ ଶର୍ମା-ସାହିନ ଶାହ ଆଫ୍ରିଦି, ଶୁବମନ୍ ଗିଲ୍‌-ହାରିସ୍ ରୌଫ, ମହମ୍ମଦ ନୱାଜ-ହାର୍ଦିକ ପାଣ୍ଡ୍ୟାଙ୍କ ଭଳି କେତେକ ବ୍ୟକ୍ତିଗତ ଲଢ଼େଇ ବି ପ୍ରଶଂସକଙ୍କ ମନ ଜିତିବ। ଭାରତ ନବମ ଥର ଏବଂ ପାକିସ୍ତାନ ତୃତୀୟ ଥର ଏସିଆ କପ୍ ଟ୍ରଫି ଜିତିବା ପାଇଁ ଲଢ଼ିବେ। ଭାରତର ଏହା ଦ୍ବାଦଶ ଏବଂ ପାକିସ୍ତାନର ଷଷ୍ଠ ଏସିଆ କପ୍ ଫାଇନାଲ୍ ହେବ। ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରଠାରୁ ଭାରତ-ପାକିସ୍ତାନ ଏହି ଫର୍ମାଟ୍‌ରେ ୧୫ ଥର ଲଢ଼ିଛନ୍ତି। ସେଥିମଧ୍ୟରୁ ଭାରତ ୧୨ଟି ଏବଂ ପାକିସ୍ତାନ ମାତ୍ର ୩ଟି ଜିତିଛି। ତେବେ ପାକିସ୍ତାନ ୩ଟିରୁ ୨ଟି ବିଜୟ ଦୁବାଇରେ ପାଇଛି।

ଦଶହରା ଭେଟି ଅପେକ୍ଷାରେ ଭାରତୀୟ ପ୍ରଶଂସକ
ଭାରତ ପୂର୍ବରୁ ସର୍ବାଧକ ୮ଥର ଏସିଆ କପ୍ ଜିତିଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଦୁଇ ଥର ଟ୍ରଫି ତୋଳି ଧରିବାର ସମ୍ମାନ ଲାଭ କରିଛି। ପୁଣି ଭାରତୀୟ ଦଳ ଚଳିତ ଏସିଆ କପ୍‌ର ଗୋଟିଏ ହେଲେ ବି ମ୍ୟାଚ୍ ହାରିନି। ଅନ୍ୟପକ୍ଷରେ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ ପାକିସ୍ତାନ ବାଂଲାଦେଶ ବିପକ୍ଷ ସୁପର-୪ ମ୍ୟାଚ୍‌କୁ କଷ୍ଟେମଣ୍ଟେ ଜିତି ଫାଇନାଲ୍ ଟିକେଟ୍‌ ହାସଲ କରିଛି। ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସହ କିଛି ଖେଳାଳି ଆହତ ହେବା ସତ୍ତ୍ବେ ଭାରତ ତା’ର ଶେଷ ମ୍ୟାଚ୍‌ରେ ନାଟକୀୟ ଭାବେ ଶ୍ରୀଲଙ୍କାକୁ ସୁପର୍‌ ଓଭର୍‌ରେ ହରାଇ ଆତ୍ମବିଶ୍ବାସକୁ ଆହୁରି ବଢ଼ାଇଛି। ଅଭିଷେକ ଶର୍ମାଙ୍କ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌, କୁଲଦୀପ ଯାଦବଙ୍କ ୧୩ ୱିକେଟ୍ ସଫଳତା ପାକିସ୍ତାନକୁ ଚିନ୍ତାରେ ପକାଇଛି। ଶ୍ରୀଲଙ୍କା ବିପକ୍ଷ ଶେଷ ସୁପର-୪ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟା ଆହତ ହୋଇ ମାତ୍ର ଗୋଟିଏ ଓଭର ବୋଲିଂ କରିବା ଅଭିଷେକ ଓ ତିଳକ ବର୍ମା ପଡ଼ିଆ ବାହାରକୁ ଯିବା, ଭାରତ ପାଇଁ କିଛିଟା ସମସ୍ୟା ହୋଇପାରେ। ସଞ୍ଜୁ ସାମସନ୍ ଗତ ମ୍ୟାଚ୍‌ରେ ଫର୍ମକୁ ଫେରିବା ଭାରତ ପାଇଁ ବହୁତ ଭଲ ଖବର ହୋଇଛି। ଅଧିନାୟକ ସୂର୍ଯ୍ୟକୁମାରଙ୍କୁ କିନ୍ତୁ ନିଜ ପୂରୁଣା ତେଜ ଫେରାଇ ଆଣିବାକୁ ହେବ। ଚଳିତ ସଂସ୍କରଣରେ ଭାରତୀୟ କ୍ରିକେଟ୍ ଦଳ ଏପର୍ଯ୍ୟନ୍ତ ୧୨ଟି କ୍ୟାଚ୍ ହାତଛଡ଼ା କରିବା ଭାରତ ପାଇଁ ମୁଣ୍ଡବ୍ୟଥାର ଆଉ ଏକ କାରଣ ହୋଇପାରେ। ଅଭିଷେକ ଓ ଶୁବମନ୍ ଅଧିକାଂଶ ମ୍ୟାଚ୍‌ରେ ପାୱାର ପ୍ଲେ’ରେ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ଧମାକାଦାର ଆରମ୍ଭ ଦେଇଛନ୍ତି। ରବିବାର ମଧ୍ୟ ସେମାନେ ଏଭଳି ବ୍ୟାଟିଂ କରିବେ ବୋଲି ସମର୍ଥକ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ବ୍ୟାଟିଂକ୍ରମ ପୂରା ପ୍ରତିଯୋଗିତାରେ ସଂଘର୍ଷ କରିଥିଲେ ମଧ୍ୟ ବୋଲିଂ ବାହିନୀ ଉଚ୍ଚ‌କୋଟୀର ଖେଳ ଖେଳିଛି। ଦଳର ପ୍ରମୁଖ ବୋଲର ସାହିନ ଶାହ ଆଫ୍ରିଦି ଏବେ ପୂରା ଲୟରେ ଅଛନ୍ତି। ଅବ୍ରାର୍ ଅହମ୍ମଦ, ମହମ୍ମଦ ନୱାଜ ତଥା ସାମୟିକ ବୋଲର ସୈମ ଆୟୁବ ଚମତ୍କାର ସ୍ପିନ୍ ପକାଉଛନ୍ତି। ଯାହା ମଝି ଓଭର ଗୁଡ଼ିକରେ ଭାରତକୁ ପରୀକ୍ଷାରେ ରଖିବ। ଯଶପ୍ରୀତ୍ ବୁମ୍‌ରା ଓ ଶିବମ ଦୁବେ ଫାଇନାଲ୍‌କୁ ଫେରିବା ଭାରତୀୟ ବୋଲିଂକୁ ଆହୁରି ଶକ୍ତିଶାଳୀ କରିବ। ବହୁରାଷ୍ଟ୍ରୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ପାକିସ୍ତାନର ପ୍ରଦର୍ଶନ ତୁଳନାତ୍ମକ ଭାବେ ଭଲ ରହିଥିବାରୁ ଭାରତକୁ ଏଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସୂଚନା ଅନୁସାରେ ୧୯୮୫ ମସିହା ପରଠାରୁ ଭାରତ ଓ ପାକିସ୍ତାନ ପୂର୍ବରୁ ୫ଟି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ଭେଟାଭେଟି ହୋଇଛନ୍ତି। ଏଥିରୁ ପାକିସ୍ତାନ ୩ଟି ଜିତି ଭାରତଠାରୁ ସାମାନ୍ୟ ଆଗରେ ରହିଛି। ଶେଷ ଥର ପାଇଁ ଏହି ଦୁଇ ଲୋକପ୍ରିୟ ଦଳ ୨୦୧୭ ମସିହା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପରସ୍ପର ବିପକ୍ଷରେ ଖେଳିଥିଲେ। ଯାହାକୁ ପାକିସ୍ତାନ ୧୮୦ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ଶେଷ ଥର ପାଇଁ ପାକିସ୍ତାନ ୨୦୨୨ ମସିହାର ସୁପର-୪ ପର୍ଯ୍ୟାୟରେ ଭାରତକୁ ହରାଇଥିଲା। ଗତବର୍ଷ ବିଶ୍ବକପ୍ ଜିତିବାଠାରୁ ଭାରତ କୌଣସି ଟ୍ବେଣ୍ଟି-୨୦ ଶୃଙ୍ଖଳା ନହାରିବା ପାକିସ୍ତାନ ପାଇଁ ଖରାପ ଖବର ହୋଇପାରେ।

ବୁମ୍‌ରା, ଶିବମ ଫେରିବେ
ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ଜଣେ ଅତିରିକ୍ତ ବୋଲରଙ୍କୁ ନେଇ ଖେଳିଥିଲା। ଅଲରାଉଣ୍ଡର୍ ଶିବମ ଦୁବେ ଓ ଯଶପ୍ରୀତ୍ ବୁମ୍‌ରାଙ୍କୁ ବାଦ ଦେଇ ହର୍ଷିତ ରାଣା, ଅର୍ଶଦୀପ ସିଂହଙ୍କୁ ଖେଳାଇଥିଲା। ଉଭୟ ପାୱାର ପ୍ଲେରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ରବିବାର ଫାଇନାଲ୍‌ରେ କିନ୍ତୁ ଭାରତ ପୂର୍ଣ୍ଣ କ୍ଷମତାରେ ପଡ଼ିଆକୁ ଓହ୍ଲାଇବାର ସଙ୍କେତ ଦେଇଛି। ଯୁବ ଓପନର୍ ଅଭିଷେକ ଶର୍ମା, ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଶୀର୍ଷକ୍ରମ ବ୍ୟାଟର୍ ତିଳକ ବର୍ମା ଶୁକ୍ରବାରର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସାମାନ୍ୟ ଆହତ ହୋଇଥିଲେ। ତେବେ ତିନି ଜଣ ଯାକ ଫାଇନାଲ୍‌ରେ ଖେଳିବେ ବୋଲି ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ ସଙ୍କେତ ଦେଇଛନ୍ତି। ଅଭିଷେକ ଓ ତିଳକ ଫାଇନାଲ୍ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିବା ସହ ପାଣ୍ଡ୍ୟାଙ୍କ ଫିଟନେସ୍ ଶନିବାର ଆକଳନ କରାଯିବ ବୋଲି ମତ ରଖିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ବିଜୟ ଉପହାର ଦେଇଥିବା ଚୂଡ଼ାନ୍ତ ଏକାଦଶରେ ପାକିସ୍ତାନ ଅଦଳ ବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ।

ସମ୍ଭାବ୍ୟ ଭାରତ: ଶୁବମନ୍ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମ୍‌ସନ୍, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍‌ରା।

ସମ୍ଭାବ୍ୟ ପାକିସ୍ତାନ: ସାହିବଜାଦା ଫରହାନ, ଫଖର ଜମାନ, ସୈମ ଆୟୁବ, ସଲମାନ ଅଲୀ ଆଗା (ଅଧିନାୟକ), ହୁସେନ୍‌ ତଲତ, ମହମ୍ମଦ ହାରିସ, ସାହିନ ଶାହ ଆଫ୍ରିଦି, ମହମ୍ମଦ ନୱାଜ, ଫହିମ ଅସ୍ରଫ, ହାରିସ୍ ରୌଫ, ଅବ୍ରାର୍ ଅହମଦ।

ଏପଟେ ଗରମ, ସେପଟେ କାକର
ଶୁକ୍ରବାରର ଭାରତ-ଶ୍ରୀଲଙ୍କା ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ର ଭିନ୍ନ ସ୍ଥିତିକୁ ଦର୍ଶାଇଛି। ଏଠାକାର ଅସହ୍ୟ ଗରମ ଯୋଗୁ ତିଳକ ବର୍ମାଙ୍କ ସମେତ ଏକାଧିକ ଭାରତୀୟ ‌ଖେଳାଳି କ୍ଷେତ୍ରରକ୍ଷଣ କଲା ବେଳେ ବେଶ୍ ଅସହଜ ଅନୁଭବ କରିଥିଲେ। ଦୁଇ ଦଳର ଖେଳାଳି ଆକସ୍ମିକ ହଠାତ୍‌ ମାଂସପେଶୀ ଟାଣି ହୋଇଯିବା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ପୁଣି ଭାରତୀୟ ବୋଲର ରାତିରେ ବୋଲିଂ କରୁଥିଲା ବେଳେ କାକର ଆଉ ଏକ ସମସ୍ୟା ଭାବେ ଉଭା ହୋଇଥିଲା। ସେଥିପାଇଁ ରନ୍ ରୋକିବା ସେମାନଙ୍କ ପାଇଁ ବହୁ କଷ୍ଟକର ହୋଇଥିଲା। ଏଣୁ ପୂର୍ବ ଦୁଇ ଭାରତ-ପାକିସ୍ତାନ ମୁକାବିଲାଠାରୁ ରବିବାରର ଫାଇନାଲ୍‌ ଅଧିକ କଠିନ ଏବଂ ଆହ୍ବାନପୂର୍ଣ୍ଣ ରହିବ। ଯଦି କାକର ପ୍ରଭାବ ରହିବ, ତେବେ ଦ୍ବିତୀୟ ପାଳିରେ ବୋଲିଂ କରିବା କୌଣସି ଦଳ ପାଇଁ ସହଜ ହେବନି। କାକର ସମ୍ଭାବନା ପାଇଁ ଟସ୍ ବେଶ୍ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

ଭାରତର ୟୁଏଇ ଦୁଃସ୍ବପ୍ନ
ରବିବାର ଫାଇନାଲ୍‌ ଜିତିଲେ ଭାରତୀୟ କ୍ରିକେଟ୍ ଦଳ ନବମ ଥର ଏସିଆ କପ୍ ଟ୍ରପି ଜିତିବ। ସେହିଭଳି ୟୁଏଇରେ ଖେଳାଯାଇଥିବା କୌଣସି ପ୍ରତିଯୋଗିତାର ଫାଇନାଲ୍‌ରେ ପାକିସ୍ତାନକୁ ପ୍ରଥମ ଥର ହରାଇବାର ଐତିହାସିକ ସଫଳତା ଲାଭ କରିବ। କାରଣ ପୂର୍ବରୁ ଭାରତ ୟୁଏଇରେ ଖେଳିଥିବା କୌଣସି ଫାଇନାଲ୍‌ରେ କେବେବି ପାକିସ୍ତାନକୁ ପରାସ୍ତ କରିନି। ସାରଜାରେ ଖେଳିଥିବା ଗତ ଚାରିଟି ଫାଇନାଲ୍ (୧୯୮୬ ଅଷ୍ଟ୍ରେଲେସିଆ କପ୍, ୧୯୯୧ ୱିଲ୍‌ସ ଟ୍ରଫି, ୧୯୯୪ ଅଷ୍ଟ୍ରେଲେସିଆ କପ୍, ୧୯୯୯ ପେପ୍‌ସି କପ୍)ରେ ପାକିସ୍ତାନଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଦ୍ବିପାକ୍ଷିତ ଓ ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତାକୁ ମିଶାଇ ପାକିସ୍ତାନ ବିପକ୍ଷରେ ଖେଳିଥିବା ସର୍ବମୋାଟ ୧୦ଟି ଫାଇନାଲ୍‌ରୁ ଭାରତ କେବଳ ୧୯୮୫ର ବିଶ୍ବ କ୍ରିକେଟ୍ ଲିଗ୍ (ମେଲବର୍ଣ୍ଣ), ୧୯୯୮ର ଇଣ୍ଡିପେଣ୍ଡେନ୍ସ କପ୍ (ଢାକା) ଏବଂ ୨୦୦୭ର ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ (ଜୋହାନେସବର୍ଗ) ଜିତି ପାରିଛି।

ପଡ଼ିଆ ବାହାର ଚିନ୍ତା
ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ ପରେ ପାକିସ୍ତାନ ଉପରେ ଭାରତର ସଫଳ ଅପରେସନ୍ ସିନ୍ଦୁରର ସାମରିକ ପୃଷ୍ଠଭୂମି ପୂର୍ବର ଦୁଇ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଢେର ଉଷ୍ମତା ଭରିଥିଲା। ଭାରତୀୟ ଦଳ ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ହାତ ମିଳାଇବାକୁ ମନା କରିବା, ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ଓହରି ଯିବାକୁ ପାକିସ୍ତାନ ଧମକ ଦେବା ସହ ପାକିସ୍ତାନୀ ଖେଳାଳି ବିବାଦୀୟ ଇଙ୍ଗିତ କରି ଦୁଇ ଦଳର ଖେଳାଳି ପରସ୍ପରକୁ କଟାକ୍ଷ କରି ଦଣ୍ଡିତ ହେବା ଭଳି ଘଟଣା ବେଶ୍ ବିବାଦୀୟ ହୋଇଛି। ଏଭଳି ଜଟିଳ ସ୍ଥିତିରେ ହାଇଭୋଲ୍‌ଟେଜ୍ ଫାଇନାଲ୍‌ରେ ମଧ୍ୟ ଉଭୟ ପଡ଼ିଆ ଭିତରେ ଓ ବାହାରେ ଏଭଳି ଆବେଗ, ଭାବପ୍ରବଣତା ଏବଂ ଲଢ଼ୁଆ ପ୍ରବୃତ୍ତିର ଝଲକ ଦେଖିବାକୁ ମିଳିବାର ସମ୍ଭାବନା ସର୍ବାଧିକ ରହିଛି । ଏଣୁ ପଡ଼ିଆ ବାହାରର କଥା ଉପରେ ଧ୍ୟାନ ନଦେଇ ଶ୍ରେଷ୍ଠ କ୍ରିକେଟ୍ ଖେଳିବାକୁ ପୂର୍ବତନ କ୍ରିକେଟର୍‌ମାନେ ଭାରତୀୟ ଦଳକୁ ଆହ୍ବାନ କରିଛନ୍ତି।

ପିଚ୍‌କୁ ନେଇ ଦ୍ବନ୍ଦ୍ବ
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ପିଚ୍ ସବୁବେଳେ ନିର୍ଣ୍ଣାୟକ ଭୂମିକା ନେଇ ଆସିଛି। ୨୦୧୮ ମସିହା ପରଠାରୁ ବିଶ୍ବର ଶୀର୍ଷ ୮ ଦଳ ମଧ୍ୟରେ ଏଠାରେ ୨୦ଟି ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ୧୫ଟି ମ୍ୟାଚ୍‌ରେ ପଛ ବ୍ୟାଟିଂ ଦଳ ବିଜୟୀ ହୋଇଛି। ଏଣୁ ଅଧିନାୟକଙ୍କ ମନରେ ଟସ୍ ଜିତିବା ମାତ୍ରେ ବୋଲିଂ ନେଇ ପଶ୍ଚାତ୍‌ଧାବନ କରିବାର ସ୍ପଷ୍ଟ ଧାରଣା ରହିଥିଲା। ତେବେ ଏଠାରେ ଖେଳାଯାଇଥିବା ଗତ ତିନିଟି ମ୍ୟାଚ୍‌ରୁ ଦୁଇଟିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ହୋଇ ସୁପର ଓଭର୍‌କୁ ଯାଇଛି। ଏଣୁ ଫାଇନାଲ୍‌ରେ ଟସ୍ ଜିତିବା ଅଧିନାୟକ ବୋଲିଂ ନା ବ୍ୟାଟିଂ ନେବେ, ସେ ଦ୍ବନ୍ଦ୍ବରେ ରହିବେ।

Leave a Reply

Your email address will not be published. Required fields are marked *