ପ୍ରଗତିକୁ ତ୍ୱରାନ୍ବିତ କରିବ

କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା ଟିକସରେ ଆଣିଥିବା ସଂସ୍କାର (ଜିଏସ୍‌ଟି ୨.୦) ସୋମବାରରୁ ଲାଗୁ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଏକ ଖୋଲାଚିଠି ଜରିଆରେ ଏହାକୁ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ କହିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି।


ଜିଏସ୍‌ଟି ହାର କମିବା ଅର୍ଥ ପ୍ରତି ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟ ନିମନ୍ତେ ଅଧିକ ସହଜ ହେବ। ସାରା ଦେଶରେ ନବରାତ୍ରି ପାଳନ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକ ଓ ସେମାନଙ୍କ ପରିବାରକୁ ହୃଦୟଭରା ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ଆଣୁ ବୋଲି ସେ କହିଛନ୍ତି। ଚଳିତବର୍ଷର ପାର୍ବଣ ଋତୁ ଅଧିକ ଆନନ୍ଦ ଆଣିଛି। ସେପ୍ଟେମ୍ବର ୨୨ରୁ ପରବର୍ତ୍ତୀ ପିଢ଼ି ଜିଏସ୍‌ଟି ସଂସ୍କାର ଲାଗୁ ହୋଇଛି, ଯାହାର ଉପସ୍ଥିତି ଅନୁଭୂତ ହେବା ଆରମ୍ଭ ହୋଇଛି। ଏହା ସାରା ଦେଶରେ ଜିଏସ୍‌ଟି ସେଭିଂସ୍‌ ଫେଷ୍ଟିଭାଲ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଂସ୍କାର ସଞ୍ଚୟ ବଢ଼ାଇବା ସହ ସମାଜର ପ୍ରତ୍ୟେକ ବର୍ଗଙ୍କୁ ପ୍ରତ୍ୟକ୍ଷ ଲାଭ ଦେବ, ଯାହା ଅଧିକ ଅଭିବୃଦ୍ଧି ଓ ନିବେଶକୁ ପ୍ରୋତ୍ସାହିତ କରିବା ସହ ପ୍ରତି ରାଜ୍ୟ ଓ ଅଞ୍ଚଳର ପ୍ରଗତିକୁ ତ୍ୱରାନ୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


ଟିକସ ବ୍ୟବସ୍ଥାର ସରଳୀକରଣ ଏବଂ ପରିବାର, ବ୍ୟବସାୟୀ, କୃଷକଙ୍କ ଉପରେ ଆର୍ଥତ୍କ ବୋଝକୁ ଲାଘବ କରିବା ଏବଂ ଉତ୍ସବ ଋତୁ ସମୟରେ ଆଶ୍ୱସ୍ତି ଆଣିବା ଜିଏସ୍‌ଟି ୨.୦ର ଲକ୍ଷ୍ୟ। ଜିଏସ୍‌ଟିରେ ପୂର୍ବରୁ ରହିଥିବା ୪ଟି ସ୍ଲାବ୍‌ରୁ ୨ଟିକୁ ହଟାଇ ଦିଆଯାଇ କେବଳ ୫% ଓ ୧୮%କୁ ରଖାଯାଇଛି। ଖାଦ୍ୟ, ଔଷଧ, ସାବୁନ, ଟୁଥ୍‌ପେଷ୍ଟ ଆଦି ଦୈନନ୍ଦିନ ଆବଶ୍ୟକତା ସମେତ ବୀମା ଓ ଅନେକ କିଛି ସମ୍ପୂର୍ଣ୍ଣ ଟିକସମୁକ୍ତ ହୋଇଛି କିମ୍ବା ୫ ପ୍ରତିଶତ ଟିକସ ସ୍ଲାବ୍‌ରେ ରହିଛି। ପୂର୍ବରୁ ୧୨% ଟିକସ ଲାଗୁଥିବା ସାମଗ୍ରୀଗୁଡ଼ିକୁ ୫% ସ୍ଲାବ୍‌ ମଧ୍ୟକୁ ଅଣାଯାଇଛି। ଆୟକର ଛାଡ଼ ଏବଂ ଜିଏସ୍‌ଟିର ନୂଆପିଢ଼ି ସଂସ୍କାରକୁ ଯଦି ଆମେ ଏକାଠି ନେବା, ତେବେ ଲୋକେ ପାଖାପାଖି ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଘରଖର୍ଚ୍ଚ କମିବା ଯୋଗୁ ସେମାନେ ଘର ତିଆରି, ଗାଡ଼ିକିଣା, ବିଭିନ୍ନ ଉପକରଣ କିଣା ଆଦି ଆଶା ଆକାଂକ୍ଷା ପୂରଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *